ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ବିରୁଦ୍ଧରେ ଜୁଲାଇ ୨୦ ରେ ଆପ୍ ର ଆନ୍ଦୋଳନ
ଢେଙ୍କାନାଳ : ଦୀର୍ଘ ୨୧ ଦିନ ଧରି ବିଶିଷ୍ଟ ପରିବେଶବିତ୍ ତଥା ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ, କକ୍ରୋଚ ଜନତା ପାର୍ଟି ଏବଂ ବିଭିନ୍ନ ଛାତ୍ର ସଂଗଠନ ମାନଙ୍କ ଦ୍ୱାରା ଦିଲ୍ଲୀ ଯନ୍ତର ମନ୍ତର ଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ ଏବଂ ଅନଶନ ପ୍ରତି କେନ୍ଦ୍ର ସରକାର ଯେଉଁଭଳି ଅଣଦେଖା କରିଛନ୍ତି ଏବଂ ଆଜି ଶନିବାର ସକାଳୁ ପୋଲିସ ଲଗାଇ ବଳପୂର୍ବକ ଅନଶନକୁ ଭାଙ୍ଗିଦେବାର କ୍ରୁର ମାନସିକତା ଆପଣେଇଛନ୍ତି ତାହା ସମଗ୍ର ଛାତ୍ର ସମାଜ ତଥା ସଚେତନ ନାଗରିକଙ୍କୁ ଆନ୍ଦୋଳିତ କରିଛି। ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ ହେବା ସତ୍ତ୍ୱେ ଜଣେ ଅପାରଗ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସରକାର ଅନଶନରତ ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି ତାହା ଗଭୀର ନିନ୍ଦା ଓ ଛାତ୍ର ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। କୋମଳମତି ଛାତ୍ର ଛାତ୍ରୀଙ୍କ ପ୍ରତି ସରକାରଙ୍କର ଏଭଳି କ୍ରୁର ଆଚରଣର ପ୍ରତିବାଦରେ ଆସନ୍ତା ଜୁଲାଇ କୋଡ଼ିଏ ତାରିଖ ସୋମବାର ସକାଳ ଦଶ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସୋନମ୍ ୱାଙ୍ଗଚୁକ ଏବଂ ଯୁବ ବର୍ଗଙ୍କ ପ୍ରତି ସମର୍ଥନ ଜ୍ଞାପନ କରିବା ସହ ଅପାରଗ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଯେଉଁଭଳି ଭାବରେ ଶିକ୍ଷା ବ୍ୟବସ୍ଥା ପ୍ରତି ଅବହେଳା ଓ ଅଣଦେଖା କରାଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭୁଲ୍ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇ ସେମାନଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯିବାର ଷଡ଼ଯନ୍ତ୍ର କରାଯାଇଛି ତାର ମଧ୍ୟ ପ୍ରତିବାଦ କରାଯିବ। ଆସନ୍ତୁ ସମସ୍ତେ ମିଳିମିଶି ଜୁଲାଇ ୨୦ ତାରିଖ ସକାଳ ୧୦ ଘଟିକାରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପହଞ୍ଚି ସରକାରଙ୍କ ଦମନ ଲୀଳାର ପ୍ରତିବାଦ କରିବା ଏବଂ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଅପାରଗ
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ଉପସଭାପତି ବିଜୟ କୁମାର ନାୟକ ଓ ସଦସ୍ୟ ନିରଦ ଚନ୍ଦ୍ର ବାରିକ ପ୍ରମୁଖ ଅନୁରୋଧ କରିଛନ୍ତି।



