ରାମନଗର-ଡେରାଡୁନ ମଧ୍ୟରେ ଆରମ୍ଭ ହେଲା ପ୍ରଥମ ସିଧାସଳଖ ଏକ୍ସପ୍ରେସ ସେବା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ସୁବିଧା। ରାମନଗର ଏବଂ ଡେରାଡୁନ ମଧ୍ୟରେ ପ୍ରଥମଥର ପାଇଁ ସିଧାସଳଖ ଏକ୍ସପ୍ରେସ ଟ୍ରେନ୍ ସେବା ଆରମ୍ଭ ହୋଇଛି।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ ମାଧ୍ୟମରେ ରାମନଗର-ଡେରାଡୁନ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ନୂଆ ରେଳ ସେବା ଦୁଇଟି ପ୍ରମୁଖ ସହର ମଧ୍ୟରେ ଯାତାୟାତକୁ ଆହୁରି ସହଜ କରିବା ସହିତ ଯାତ୍ରୀମାନଙ୍କୁ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ।
ରାମନଗର-ଡେରାଡୁନ ମଧ୍ୟରେ ଏହି ସିଧାସଳଖ ଏକ୍ସପ୍ରେସ ସେବା ଆରମ୍ଭ ହେବା ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ସୁବିଧା ସମ୍ପର୍କିତ ଆବଶ୍ୟକତା ପୂରଣ ହୋଇଥିବା କୁହାଯାଉଛି। ଏହା ରାଜ୍ୟର ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଯାତ୍ରାକୁ ଅଧିକ ସୁବିଧାଜନକ କରିବ ବୋଲି ଆଶା କରାଯାଉଛି।



