ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟଗୁଡ଼ିକରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ମଧ୍ୟରେ ଓଡ଼ିଶାରେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର। ରାଜ୍ୟବାସୀଙ୍କୁ ଅଯଥା ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।
ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଦେଖାଯାଉଥିବା କୋଭିଡ୍ ସଂକ୍ରମଣର ଲକ୍ଷଣ ସାଧାରଣ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ଭଳି ରହୁଛି ଏବଂ ଅଧିକାଂଶ ସଂକ୍ରମିତ ସାଧାରଣ ଚିକିତ୍ସାରେ ସୁସ୍ଥ ହୋଇଯାଉଛନ୍ତି।
ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନିଜଣ ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣ ଘରେ ସଂଘରୋଧରେ ରହିଥିବା ବେଳେ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ଚିନ୍ତାର କୌଣସି କାରଣ ନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ସ୍ୱଚ୍ଛତା ବଜାୟ ରଖିବା ଏବଂ ଅସୁସ୍ଥ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଲୋକଙ୍କୁ ଅନୁରୋଧ କରିଛି।



