ହେଡଲାଇନ୍:
ବିଜେଡିକୁ କଳାହାଣ୍ଡିରେ ବଡ଼ ଝଟକା: ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ଶତାଧିକ କର୍ମୀ ବିଜେପିରେ ସାମିଲ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ସୋମବାର ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜେଡିକୁ ବିଦାୟ ଜଣାଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।
ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ କଳାହାଣ୍ଡିର ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ କୁନି ସାହୁ ଏବଂ ଶତାଧିକ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଏହା ସହ ନୂଆପଡ଼ା ଜିଲ୍ଲାରୁ ମଧ୍ୟ ଅନେକ ଜନପ୍ରତିନିଧି ଓ ରାଜନୈତିକ ନେତା ବିଜେପିରେ ସାମିଲ ହୋଇଥିବାରୁ ପଶ୍ଚିମ ଓଡ଼ିଶାରେ ଦଳର ସଂଗଠନ ଆହୁରି ମଜବୁତ ହେବ ବୋଲି ବିଜେପି ଦାବି କରିଛି।
ନୂଆପଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ମୁରଲୀଧର ଭୋଇ, ଉମା ଠାକୁର, କୋମନା ବ୍ଲକର ବିଜେଡି ସଭାପତି କ୍ଷମାସିଂହ ନିଆଲ ଏବଂ ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ମହାନନ୍ଦ ମଧ୍ୟ ନିଜ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି।
ଏହି ମିଶ୍ରଣ ପର୍ବରେ ସାଂସଦ ମାଳବିକା ଦେବୀ, ସୁଜିତ କୁମାର, ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ, ଜୟ ଢୋଲକିଆ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ ସମ୍ପାଦକ ସରୋଜ କରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳରେ ସ୍ୱାଗତ ଜଣାଇଥିଲେ।
ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବିଜେପିରେ ଯୋଗଦାନକୁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ବିଶେଷକରି ସ୍ଥାନୀୟ ସଂଗଠନ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି।



