ମୋଦୀ–ଜିନ୍ପିଙ୍ଗ ସାକ୍ଷାତ: ଭାରତର ବ୍ରିକ୍ସ ଅଧ୍ୟକ୍ଷତାକୁ ଚୀନ୍ର ସମର୍ଥନ
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଦୀର୍ଘ ୭ ବର୍ଷ ପରେ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ ଧରି ଆଲୋଚନା ହୋଇଥିଲା। ବୈଠକରେ ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ମତଭେଦକୁ ବିବାଦର ରୂପ ନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସମ୍ମାନ, ସଂବେଦନଶୀଳତା ଓ ସ୍ୱାର୍ଥକୁ ଗୁରୁତ୍ୱ
ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଭାରତ–ଚୀନ୍ ସମ୍ପର୍କ ପାରସ୍ପରିକ ସମ୍ମାନ, ସଂବେଦନଶୀଳତା ଓ ସ୍ୱାର୍ଥ ଉପରେ ଆଧାରିତ ହେବା ଆବଶ୍ୟକ। ଉଭୟ ଦେଶର ମଧ୍ୟରେ ଥିବା ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରି ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ନେଇ ଦୁଇ ନେତା ସହମତି ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ, ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ ସମର୍ଥନ ଜଣାଇଥିଲେ। ଭାରତ ସହ ସମସ୍ତ ସ୍ତରରେ ସହଯୋଗ ବୃଦ୍ଧି କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଦୁଇ ଦେଶର ଜାତୀୟ ପରିସ୍ଥିତି ଭିନ୍ନ ହୋଇଥିଲେ ମଧ୍ୟ ପରସ୍ପରର ଅଭିଜ୍ଞତା ଓ ସାମର୍ଥ୍ୟରୁ ଶିଖିବାର ସୁଯୋଗ ରହିଛି ବୋଲି ସେ ମତ ଦେଇଥିଲେ।
ଯୁଦ୍ଧ ବନ୍ଦ ପାଇଁ କୂଟନୈତିକ ପ୍ରୟାସ ଆହ୍ୱାନ
ଦ୍ୱିପାକ୍ଷିକ ବୈଠକ ପରେ ବ୍ରିକ୍ସ ସମ୍ମିଳନୀରେ ନିଜ ବିବୃତି ରଖି ଜିନ୍ପିଙ୍ଗ ବିଶ୍ୱଶାନ୍ତି ପାଇଁ ସମସ୍ତ ବ୍ରିକ୍ସ ଦେଶ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ। ଯୁଦ୍ଧ କୌଣସି ଦେଶ କିମ୍ବା ସାଧାରଣ ଲୋକଙ୍କ ପାଇଁ ହିତକର ନୁହେଁ ବୋଲି ସେ କହିଥିଲେ। କୂଟନୈତିକ ଉପାୟରେ ଯୁଦ୍ଧର ଅବସାନ ଘଟାଇବା ଉପରେ ଗୁରୁତ୍ୱ ଦେଇ ସେ ମଧ୍ୟପ୍ରାଚ୍ୟରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଜଣାଇଥିଲେ।
ଗାଲୱାନ ପରେ ବଢ଼ିଛି ଦ୍ୱିପାକ୍ଷିକ ବାଣିଜ୍ୟ
ସୂଚନାଯୋଗ୍ୟ, ୨୦୨୦ ଜୁନ୍ ୧୫ରେ ଗାଲୱାନ ସଂଘର୍ଷ ପରେ ଭାରତ–ଚୀନ୍ ସମ୍ପର୍କରେ ତିକ୍ତତା ବଢ଼ିଥିଲା। ତଥାପି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଜାରି ରହିଥିଲା। ଉପଲବ୍ଧ ତଥ୍ୟ ଅନୁସାରେ, ୨୦୨୦–୨୧ରେ ଚୀନ୍ରୁ ଭାରତର ଆମଦାନୀ ପ୍ରାୟ ୬୫ ବିଲିୟନ୍ ଡଲାର ଥିବାବେଳେ ୨୦୨୫–୨୬ରେ ଏହା ୧୩୨ ବିଲିୟନ୍ ଡଲାରରୁ ଅଧିକ ହୋଇଛି। ଅର୍ଥାତ୍, ଗାଲୱାନ ସଂଘର୍ଷ ପରଠାରୁ ଚୀନ୍ରୁ ଭାରତର ଆମଦାନୀ ପ୍ରାୟ ଦ୍ୱିଗୁଣିତ ହୋଇଛି।



