ଶୀର୍ଷକ:
ଚିଲିକାରେ ବିଜେଡିକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଦୁଇ ବରିଷ୍ଠ ନେତା
ଭୁବନେଶ୍ୱର: ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ଧୀରେ ଧୀରେ ବଦଳୁଥିବା ଦେଖିବାକୁ ମିଳୁଛି। ବିଜେଡିର ଅନେକ ନେତା ଓ କର୍ମୀ କ୍ରମାଗତ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଉଥିବା ବେଳେ ଏହାକୁ ନେଇ ଚିଲିକା ରାଜନୀତି ସରଗରମ ହୋଇଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଚଣ୍ଡେଶ୍ୱର ପଞ୍ଚାୟତର ବରିଷ୍ଠ ବିଜେଡି ନେତା କେଦାର ଖଟେଇ ଓ ପୂର୍ବତନ ୱାର୍ଡ ମେମ୍ବର ରଘୁନାଥ ରଣା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।
ଉଭୟ ନେତା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ବିଜେପିର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକାଶ କରି ସେମାନେ ଦଳରେ ଯୋଗଦେଇଛନ୍ତି।
ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ସେମାନଙ୍କ ଯୋଗଦାନ ଚିଲିକାରେ ବିଜେପି ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଅଞ୍ଚଳର ବିକାଶକୁ ନୂଆ ଗତି ଦେବ।
ଏହି କାର୍ଯ୍ୟକ୍ରମରେ ଚିଲିକା ବ୍ଲକ ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁ, ଚଣ୍ଡେଶ୍ୱର ମଣ୍ଡଳ ବିଜେପି ସଭାପତି ସମର ରଞ୍ଜନ ସୁବୁଦ୍ଧିଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବିଜେଡିରୁ ନେତାମାନଙ୍କ କ୍ରମାଗତ ବିଜେପିରେ ଯୋଗଦାନକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ପରିବେଶ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।



