ଲଗାଣ ବର୍ଷାର ପ୍ରଭାବ: ୬ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ, ପାଣିପାଗ ବିଭାଗର ସତର୍କ ସୂଚନା
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୬ଟି ଜିଲ୍ଲାରେ ମଙ୍ଗଳବାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି।
ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଭାରି ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଗଭୀର ଅବପାତ ବାଲେଶ୍ୱର ଉପକୂଳଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି। ଏହା ଆସନ୍ତାକାଲି ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ଆଗାମୀ ଦୁଇ ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା ଜାରି ରହିପାରେ।
ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଏପଟେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦେଇଛି।



