ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚାରି ବର୍ଷର କାର୍ଯ୍ୟକାଳ ଅବସରରେ ‘ଆମ ରାଷ୍ଟ୍ରପତି ଆମ ଗୌରବ’ ପୁସ୍ତକ ଉନ୍ମୋଚିତ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ଚାରି ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଭବନର ଗୋଦାବରୀ କକ୍ଷରେ ଏକ ସ୍ୱତନ୍ତ୍ର ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଆ ପୁସ୍ତକ ‘ଆମ ରାଷ୍ଟ୍ରପତି ଆମ ଗୌରବ’ ସମେତ ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଧାରାକୁ ଆଧାର କରି ପ୍ରସ୍ତୁତ ମୋଟ ପାଞ୍ଚଟି ପୁସ୍ତକର ଉନ୍ମୋଚନ କରାଯାଇଥିଲା।
‘ଆମ ରାଷ୍ଟ୍ରପତି ଆମ ଗୌରବ’ ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ, ନେତୃତ୍ୱ ଏବଂ ସାର୍ବଜନିକ ସେବାକୁ ନେଇ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଆଲେଖ ସଚିତ୍ର ଭାବେ ସଂକଳିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ୍ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରକାଶନ ବିଭାଗ ପକ୍ଷରୁ ପ୍ରକାଶିତ ଚାରିଟି ହିନ୍ଦୀ ପୁସ୍ତକ—‘ରାଷ୍ଟ୍ରପତି ଭବନ: ରାଷ୍ଟ୍ର କା ଭବନ’, ‘ସେବା ଔର ସମ୍ବେଦନା’, ‘ସମାବେଶୀ ସହଭାଗିତା’ ଏବଂ ‘ଭାରତୀୟତା କା ଉତ୍ସବ’—ମଧ୍ୟ ଲୋକାର୍ପିତ ହୋଇଥିଲା।
ପ୍ରାୟ ୨୦୦ ପୃଷ୍ଠାର ଓଡ଼ିଆ ପୁସ୍ତକ **‘ଆମ ରାଷ୍ଟ୍ରପତି ଆମ ଗୌରବ’**ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଜ୍ଞାନପୀଠ ବିଜେତା ଡ. ପ୍ରତିଭା ରାୟ, ପ୍ରଫେସର ଦାଶ ବେନହୁର, ବିନୟ ସହସ୍ରବୁଦ୍ଧେ, ଦମୟନ୍ତୀ ବେଶ୍ରାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଲେଖା ସ୍ଥାନ ପାଇଛି।
ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଟାଇମ୍ ପାସ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରା, ଜନସେବା ଓ ରାଷ୍ଟ୍ର ଗଠନରେ ତାଙ୍କ ଅବଦାନକୁ ଏକ ସ୍ମରଣୀୟ ଦସ୍ତାବିଜ ଭାବେ ଉପସ୍ଥାପନ କରିଛି।



