ଲଗାଣ ବର୍ଷାରେ ତାଳଚେର ଉବୁଟୁବୁ
ତାଳଚେର, ୨୮/୦୭ ଆଜକୁ ଦୁଇଦିନ ହେବ ଲଗାଣବର୍ଷାରେ ତାଳଚେର ସହରାଚଂଳ ଠାରୁ ଗ୍ରାମାଚଂଳ ଯାଏ ଆଣ୍ଠୁଏ ଆଣଣ୍ଠୁଏ ପାଣି । ଏଗାଣବର୍ଷାରେ ଲୋକେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ବର୍ଷା ସାମନ୍ୟ ଛାଡ଼ିବାର ନାଁ ଧରୁନାହିଁ । ବିଲମାଳ, କୂଅପୋଖରୀ, ଯୋର, ହ୍ରଦ, ନାଳ ସହିତ ବ୍ରାହ୍ମଣୀନଦୀ ମଧ୍ୟ ଦୁଇକୂଳ ଖାଉଛି । ଲଗାଣବର୍ଷା ଯୋଗୁଁ ଲୋକେ ଘରୁ ବାହାରୁ ନଥିବା ବେଳେ ଅତି ଜରୁରୀକାଳୀନ କାର୍ଯ୍ୟ ମଧ୍ୟ ବର୍ଷା ଯୋଗୁଁ ଅଟକି ରହିଛି । ତାଳଚେରର ରାସ୍ତାଘାଟ ଗୁଡ଼ିକ ବର୍ଷାଜଳରେ ପୂର୍ଣ୍ଣ ହୋଇଥିବା ବେଳେ କେୁଁଠି ଖାଲ ଓ କେଉଁଠି ସମାନ ତାହା ପରଖି ହେଉନି, ଏପରିକି ଦୁଇଚକିଆଯାନ ଯାତାୟତ କଲାବେଳେ ମୁହାଁମାଡ଼ି ହୋଇପଡ଼ିବା ଦୃଶ୍ୟ ମଧ୍ୟ ଦେଖାଯାଇଛି । ଅପରପକ୍ଷେ ବଳରାମ ଖଣି ନିକଟସ୍ଥ ଗ୍ରାମ ରାସ୍ତାରେ ପାଣିର ସୂଅ କାଟୁଥିବା ଗୋଟିଏ ବାଇକ ପାଣିରେ ଭସାଇ ନେଉଥିବା ଦୃଶ୍ୟ ବି ମୋବାଇଲରେ କଏଦ କରାଯାଇଥିଲା । ଲଗାଣବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି, କଳାପାଣି ସହ କାଦୁଅ ରାସ୍ତା, ବାଇପାସ୍ ରାସ୍ତାର ଦୁଇପାଶ୍ୱର୍ରେ ମୋଟା ବହଳର କୋଇଲା କାଦୁଅ, ଖାଲି ବାଇପାସ୍ କାହିଁକି ବାଙ୍କଧରା ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଏବଂ ସହରର ଗଳିକନ୍ଦି ଗୁଡ଼ିକ ମଧ୍ୟ ସବୁଠି ସମାନ ଦଶା, ଦୁଇ ଚକିଆଯାନ ଚଳାଇବା କଷ୍ଟକର । ଜାତୀୟ ରାଜପଥରେ ଯାତାୟତ କରିବା ଏକ ଯମଯନ୍ତ୍ରଣା ପାଲଟି ଯାଇଛି । ଏପଟେ ବ୍ରାହ୍ମଣୀନଦୀ ଦୁଇକୂଳ ଖାଉଥିବା ବେଳେ ସେପଟେ ଲଗାଣବର୍ଷା ଦୁଇଦିନ ହେବ ରାସ୍ତାଘାଟ, ଦୋକାନବଜାର ଶୂନଶାନ୍ । ବିଭିନ୍ନ ସାହି ଗଳିକନ୍ଦି ଗୁଡ଼ିକରେ ବର୍ଷାଯୋଗୁଁ ଏଠିସେଠି ପାଣିଜମି ଡ଼୍ରେନ ଜଳ ରାସ୍ତା ଉପରକୁ ଚାଲିଆସି ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରୁଛି । ଅନୁମାନ କରାଯାଏ କି ଲଗାଣ ବର୍ଷା ପ୍ରଚୁର ମାତ୍ରାରେ ହୋଇଥିଲେ ହେଁ ଖବର ଲେଖାହେଲା ବେଳକୁ କୌଣସି କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇନାହିଁ । ତେବେ ଯଦି ଏପରି ଲଗାଣବର୍ଷା ୪ରୁ ୫ଦିନ ଲାଗିରୁହେ ତେବେ ବ୍ୟବସାୟ ଓ ଗରୀବ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିବ ବୋଲି ଶୁଣିବାକୁ ମିଳେ ।



