ଶୀର୍ଷକ:
ବୁଢ଼ାପଙ୍କ ଦିବ୍ୟଦର୍ଶନ ସଂଘରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଗୁରୁ ପୂର୍ଣ୍ଣିମା

ଅନୁଗୋଳ /ବୁଢ଼ାପଙ୍କ, (ପ୍ରତିନିଧି): ବୁଢ଼ାପଙ୍କ ଦିବ୍ୟଦର୍ଶନ ସଂଘ ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧୁମଧାମରେ ପାଳନ କରାଯାଇଛି। ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଓ ବ୍ୟାସ ଦେବ ତଥା ଅନ୍ଯ ଗୁରୁଙ୍କ ପ୍ରତି କୃତଜ୍ଞତା, ସମ୍ମାନ ଏବଂ ଶ୍ରଦ୍ଧା ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।

ଆଜି ଅନ୍ୟ ମାନଙ୍କ ମଧ୍ୟରେ ଗୁରୁ ଭଉଣୀ ଗୁମତି ଭଉଣୀ, ମଞ୍ଜୁ ଭଉଣୀ, ପୁଷ୍ପ ଭଉଣୀ, ମହେଶ୍ୱର ଭାଇ ଓ ପଙ୍କଜ ଭାଇ ଗୁରୁ ପୂର୍ଣ୍ଣିମା ପାଳନ ଓ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ତଥା ଗୁରୁଙ୍କୁ ଭଗବାନ ବୋଲି କହିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ ଏବଂ ସମୂହ ପ୍ରାର୍ଥନା କରାଯାଇଥିଲା। ପରେ ଭଜନ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ଗୁରୁଙ୍କ ମହିମା ଏବଂ ମାନବ ଜୀବନରେ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଗୁରୁ କେବଳ ଜ୍ଞାନ ପ୍ରଦାନ କରନ୍ତି ନାହିଁ, ବରଂ ଜୀବନକୁ ସଠିକ୍ ମାର୍ଗରେ ପରିଚାଳିତ କରିବାରେ ପଥପ୍ରଦର୍ଶକ ହୋଇଥାନ୍ତି। ଗୁରୁ ପୂର୍ଣ୍ଣିମା ଗୁରୁଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଅବସର।

ଏହି ଅବସରରେ ସଂଘର ସଦସ୍ୟମାନେ ଆଧ୍ୟାତ୍ମିକ ଜୀବନ, ନୈତିକ ମୂଲ୍ୟବୋଧ ଓ ସମାଜସେବା ପ୍ରତି ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଶେଷରେ ସମସ୍ତ ଉପସ୍ଥିତ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ବିଶ୍ୱ ଶାନ୍ତି ଓ ସର୍ବଜନ ମଙ୍ଗଳ କାମନାରେ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଗୁରୁ ପୂର୍ଣ୍ଣିମାର ଏହି ଆୟୋଜନ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।



