ଶୀର୍ଷକ:
ଡିଜିଟାଲ୍ ଓଡ଼ିଶା ଗଠନରେ ସିଏସ୍ସିର ଅବଦାନ ଅତୁଳନୀୟ: ଡ. ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଡିଜିଟାଲ୍ ସେବା ପହଞ୍ଚାଇ ସାଧାରଣ ଲୋକଙ୍କୁ ସରକାରୀ ଯୋଜନା ସହ ଯୋଡ଼ିବାରେ କମନ୍ ସର୍ଭିସ ସେଣ୍ଟର (CSC) ଏକ ପ୍ରମୁଖ ଭୂମିକା ନିଭାଉଛି। ଡିଜିଟାଲ୍ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସିଏସ୍ସି ନେଟୱର୍କ ଆହୁରି ଶକ୍ତିଶାଳୀ ଭାବେ କାର୍ଯ୍ୟ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ୧୭ତମ କମନ୍ ସର୍ଭିସ ସେଣ୍ଟର (CSC) ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ମହାଲିଙ୍ଗ କହିଥିଲେ ଯେ, ଗତ ୧୭ ବର୍ଷ ଧରି CSC ଦେଶରେ ଡିଜିଟାଲ୍ ସମାବେଶର ଏକ ଦୃଢ଼ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଛି। ଡିଜିଟାଲ୍ ଇଣ୍ଡିଆ ଅଭିଯାନକୁ ଗାଁ ଗହଳି ପର୍ଯ୍ୟନ୍ତ ପହଞ୍ଚାଇବା ସହ ସରକାରୀ ସେବା, ବ୍ୟାଙ୍କିଂ, ଡିଜିଟାଲ୍ ଶିକ୍ଷା, ଟେଲିମେଡିସିନ୍ ଓ ସାମାଜିକ ସୁରକ୍ଷା ଯୋଜନାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବାରେ CSC ଗୁରୁତ୍ୱପୂର୍ଣ୍ଣ ସେତୁ ସାଜିଛି।
ସେ କହିଥିଲେ, ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟପତ୍ର, ଟେଲି-ପରାମର୍ଶ ଓ ଆଧୁନିକ ସ୍ୱାସ୍ଥ୍ୟ ସେବା ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହୋଇପାରୁଛି। ଏହା ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି।
ମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୋଣ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଡିଜିଟାଲ୍ ସେବାର ବ୍ୟାପକ ବିସ୍ତାର ଘଟିଛି। ବର୍ତ୍ତମାନ ରାଜ୍ୟରେ ୪୫ ହଜାରରୁ ଅଧିକ CSC କେନ୍ଦ୍ର ଲୋକଙ୍କୁ ବିଭିନ୍ନ ସରକାରୀ ସେବା ଯୋଗାଇ ଆସୁଛି।
ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କ ପଞ୍ଜୀକରଣ, ୧.୭୬ କୋଟିରୁ ଅଧିକ ଆୟୁଷ୍ମାନ୍ ଭାରତ କାର୍ଡ ବଣ୍ଟନ, ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନା, ଇ-ଶ୍ରମ, ପିଏମ୍ ବିଶ୍ୱକର୍ମା, ଫସଲ ବୀମା ଏବଂ ଡିଜିଟାଲ୍ ସାକ୍ଷରତା ଭଳି ବିଭିନ୍ନ ସେବା ପହଞ୍ଚାଇବାରେ CSCର ଅବଦାନକୁ ସେ ପ୍ରଶଂସା କରିଥିଲେ। ବିଶେଷକରି ଜନଜାତି ଓ ଦୁର୍ଗମ ଅଞ୍ଚଳରେ CSC ଲୋକଙ୍କ ପାଇଁ ଭରସାର କେନ୍ଦ୍ରରେ ପରିଣତ ହୋଇଥିବା ସେ କହିଥିଲେ।
ଡ. ମହାଲିଙ୍ଗ କହିଥିଲେ, ଦେଶରେ ପ୍ରାୟ ଦୁଇ ଲକ୍ଷ ଗ୍ରାମସ୍ତରୀୟ ଉଦ୍ୟୋଗୀଙ୍କୁ ଜୀବିକାର ସୁଯୋଗ ସୃଷ୍ଟି କରିବା ସହ CSC ନେଟୱର୍କ ପ୍ରାୟ ₹୧୨,୮୦୦ କୋଟିର ବ୍ୟବସାୟ କରିଛି। ଦୁଇ ବର୍ଷ ପୂର୍ବରୁ ₹୧ କୋଟି ଥିବା ପ୍ରୋତ୍ସାହନ ରାଶି ବର୍ତ୍ତମାନ ବୃଦ୍ଧି ପାଇ ₹୬.୫ କୋଟିରେ ପହଞ୍ଚିଥିବା ସେ ସୂଚନା ଦେଇ କହିଥିଲେ ଯେ, ଏହା CSC ନେଟୱର୍କର ବିକାଶ ଓ ସଫଳତାର ସ୍ପଷ୍ଟ ପ୍ରତିଫଳନ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସିଏସ୍ସି ମାଧ୍ୟମରେ ଡିଜିଟାଲ୍ ସେବାକୁ ଆହୁରି ବ୍ୟାପକ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସରକାରୀ ସୁବିଧା ସହ ଯୋଡ଼ିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।



