ଓ.ପି ଜିନ୍ଦଲ ସ୍କୁଲକୁ “ଶିକ୍ଷା ଉତ୍କର୍ଷ ପୁରସ୍କାର’-୨୦୨୬”
ଅନୁଗୋଳ, ୨୯ ଜୁଲାଇ ୨୦୨୬: ଜିନ୍ଦଲ ନଗର, ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଏବଂ ସମନ୍ୱିତ ଶିକ୍ଷାର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ “ଏଜୁକେସନ୍ ଏକ୍ସିଲେନ୍ସ ଆୱାର୍ଡ” ବା ଶିକ୍ଷା ଉତ୍କର୍ଷ ପୁରସ୍କାର’ରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଓ.ପି. ଜିନ୍ଦଲ ସ୍କୁଲର ପ୍ରଧାନଶିକ୍ଷକ ଡଃ ଅଶ୍ୱିନୀ କୁମାର ସାହୁ, ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁକାନ୍ତ ମଜୁମଦାରଙ୍କ ଠାରୁ ଏହି ବିଜେତା ଟ୍ରଫି ଗ୍ରହଣ କରିଥିଲେ। ଏହି ଅବସରରେ ଦେଶର ବିଶିଷ୍ଟ ଶିକ୍ଷାବିତମାନେ ଉପସ୍ଥିତ ଥିଲେ।
ଦେଶର ବିଭିନ୍ନ ଅଗ୍ରଣୀ ବିଦ୍ୟାଳୟ ମଧ୍ୟରେ ଏକ କଡ଼ା ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇଥିବା ଓଡ଼ିଶାରୁ ଏକମାତ୍ର ବିଦ୍ୟାଳୟ ହେଉଛି ଓ.ପି. ଜିନ୍ଦଲ ସ୍କୁଲ, ଅନୁଗୋଳ।
ଦିଲ୍ଲୀସ୍ଥିତ ଆରୁକ୍ୟୁକ୍ ମିଡିଆ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଗୁଣାତ୍ମକ ଏବଂ ସମାବେଶୀ ଶିକ୍ଷାର ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରାଯାଇଥିଲା।
ପୁରସ୍କାର ଗ୍ରହଣ ପରେ ଡଃ ଅଶ୍ୱିନୀ କୁମାର ସାହୁ କହିଥିଲେ, “ଆମ ପରିଚାଳନା କର୍ତ୍ତୃପକ୍ଷ, ଆମ ପୃଷ୍ଠପୋଷକ ଜିନ୍ଦଲ ଷ୍ଟିଲ୍ ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ଏହାର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ୍ ଏବଂ ସ୍ଥାନୀୟ ସମୁଦାୟଙ୍କ ପ୍ରତି ଆମେ ଆନ୍ତରିକ କୃତଜ୍ଞତା ଜଣାଉଛୁ। ସେମାନଙ୍କର ଅବିରତ ସହଯୋଗ ଆମକୁ ଗୁଣାତ୍ମକ ଓ ସମାବେଶୀ ଶିକ୍ଷା ପ୍ରଦାନରେ ଆହୁରି ଶିଖରକୁ ପହଞ୍ଚିବାକୁ ପ୍ରେରଣା ଦେଉଛି।”
ଏହି ଅବସରରେ ଜିନ୍ଦଲ ଷ୍ଟିଲ୍, ଅନୁଗୋଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସଂଯୁକ୍ତ ଅନୁଗୋଳ ମୁଖ୍ୟ, ଶ୍ରୀ ପି. କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀ ଦାମୋଦର ମିତ୍ତଲ ଏବଂ ଉପ-ସଭାପତି ତଥା ଏଚ୍.ଆର୍. ମୁଖ୍ୟ ଶ୍ରୀ ସୁଭାଷ ଚନ୍ଦର ପ୍ରମୁଖ ବିଦ୍ୟାଳୟ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ଏହି ସଫଳତା ସହିତ ଓ.ପି. ଜିନ୍ଦଲ ସ୍କୁଲ, ଅନୁଗୋଳ ଜିଲ୍ଲାରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ଥାନକୁ ଆହୁରି ମଜବୁତ କରିପାରିଛି । ସେହିପରି ଏହି ସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଯୁବ ପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ନିରନ୍ତର ପ୍ରୟାସ ଜାରି ରଖିଛି ।



