ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ- ତା. ୩୦/୦୭- ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଜାତୀୟ ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଉତ ସ୍ଵାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ ।
ପବିତ୍ର ଜାତୀୟ ଦିବସ ପାଳନ ଅବସରରେ ସକାଳ ଘ. ୯.୧୫ ମି. ସମୟରେ ଦିବସର ମୁଖ୍ୟ ଅତିଥି ଢେଙ୍କାନାଳ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ପ୍ୟାରେଡ ଦଳ, ପୋଲିସ ବାହିନୀ, ଓ.ଏସ.ଏ.ପି. ପ୍ରଥମ ବାଟାଲିଆନ ଏବଂ ବ୍ୟାଣ୍ଡ ଦଳ ପ୍ୟାରେଡରେ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିବେ । ସକାଳ ୫ ଘଟିକା ସମୟରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ରାମଧୂନ ପରିବେଷଣ କରାଯିବ। ସକାଳ ୬ ଘଟିକା ସମୟରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି କରାଯିବ। ସକାଳ ଘ. ୭.୩୦ ମି. ସମୟରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଓ ସାଧାରଣରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ଘ. ୮ .୩୦ ମି. ସମୟରୁ ସହରସ୍ଥିତ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗୀତାର ଶ୍ରେଷ୍ଠ ୨ଟି ଦଳ ଷ୍ଟାଡିୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ । ଏହି ଅବସରରେ ଚାମ୍ବର ଅଫ କମର୍ଷ ପକ୍ଷରୁ ଜିଲ୍ଲା ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ, ପ୍ରୟାସ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର, ରୋଟାରୀ କ୍ଲବ ପକ୍ଷରୁ ଚ଼କ୍ଷୁ ଶିବିର, ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଜେଲର କଏଦୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯିବ । ବଧିର ଓ ଦୃଷ୍ଟିହୀନ ବିଦ୍ୟାଳୟ, ଆଦୃତା ଅନୁଷ୍ଠାନ,ଜ୍ୟୋତିନଗରସ୍ଥିତ ଜରାଶ୍ରମ ଏବଂ ବିଶ୍ଵ କୁନ୍ତଳ ଶିଶୁ ଗୃହ ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମିଷ୍ଟାନ୍ନ ଆଦି ବଣ୍ଟନ କରାଯିବ । ବନଖଣ୍ଡ ବିଭାଗ ପକ୍ଷରୁ ସହର ମଧ୍ୟରେ ବୃକ୍ଷ ରୋପଣ କରାଯିବାକୁ ସ୍ଥିର ହୋଇଛି । ଅପରାହ୍ନ ୨.୩୦ ମି. ସମୟରୁ ଢେଙ୍କାନାଳ ଷ୍ଟାଡିୟମ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ଯାଚ ଅନୁଷ୍ଠିତ ହେବ ।
ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା ପ୍ରତିଯୋଗୀତା, ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗୀତା ଆୟୋଜନ କରାଯିବ । ସେହିପରି ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗୀତା ଏବଂ ସରକାରୀ ମହିଳା ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ସେହିପରି ଦିବ୍ୟାଙ୍ଗ (ଭିନ୍ନକ୍ଷମ) ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧ ସଙ୍ଗୀତ/ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ଏବଂ ଜିଲ୍ଲାର ସର୍ବଶ୍ରେଷ୍ଠ ବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରାଯିବ । ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ସ୍ଥିତ ଆର୍ଟ ଆଣ୍ଡ୍ କ୍ରାଫ୍ଟ ସେଣ୍ଟର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯିବ ।
ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନରେ ଆଲୋକ ସଜ୍ଜାର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଅନୁରୋଧ କରାଯାଇଛି ।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବସୋନକର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ସଦର ଉପ ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ ଏବଂ ଆରକ୍ଷୀ କର୍ମକର୍ତ୍ତା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନା କରିଥିଲେ ।



