‘ସଙ୍କଳ୍ପ-୨୦୨୬’ରେ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ଗୁରୁତ୍ୱ, ଆତ୍ମନିର୍ଭର ଭାରତ ଗଠନରେ ନୂଆ ଦିଗ
ନୂଆଦିଲ୍ଲୀ, ୩୦/୦୭: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସ୍ୱାବଲମ୍ବୀ ଏବଂ ପ୍ରଯୁକ୍ତିନିର୍ଭର କରିବା ଲକ୍ଷ୍ୟରେ ଭାରତୀୟ ବାୟୁସେନା (IAF) ଓ ସୋସାଇଟି ଅଫ୍ ଇଣ୍ଡିଆନ୍ ଡିଫେନ୍ସ ମାନୁଫାକ୍ଚରର୍ସ (SIDM)ର ମିଳିତ ଆୟୋଜନରେ ‘ସଙ୍କଳ୍ପ-୨୦୨୬’ ଶୀର୍ଷକ ଜାତୀୟ ସେମିନାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମିନାରର ଅଧ୍ୟକ୍ଷତା କରିଥିଲେ।
ନିଜ ବକ୍ତବ୍ୟରେ ଶ୍ରୀ ସେଠ କହିଥିଲେ ଯେ, ସ୍ୱଦେଶୀକରଣର ଉଦ୍ଦେଶ୍ୟ କେବଳ ବିଦେଶୀ ନିର୍ଭରତା କମାଇବା ନୁହେଁ, ବରଂ ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେଇ ସେଗୁଡ଼ିକୁ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗୀ ଉତ୍ପାଦରେ ପରିଣତ କରିବା। ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଥିଲେ।
ସେମିନାରରେ ‘SANKALP 2026: Problem Statements of Indian Air Force’ ଶୀର୍ଷକ ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏ.ପି. ସିଂହ, SIDMର ସଭାପତି ଅରୁଣ ଟି. ରାମଚନ୍ଦାନୀ, ବରିଷ୍ଠ ବାୟୁସେନା ଅଧିକାରୀ ଓ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସ୍ୱଦେଶୀ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ୍ (MRO), ଯନ୍ତ୍ରାଂଶ ଉତ୍ପାଦନ, ପ୍ରମାଣୀକରଣ, ପ୍ରଯୁକ୍ତି ଗ୍ରହଣ ଓ ଭବିଷ୍ୟତର ଏରୋସ୍ପେସ୍ ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ, ବାୟୁସେନା, CEMILAC, DGAQA, ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସମନ୍ୱିତ ପ୍ରୟାସର ଆହ୍ୱାନ କରିଥିଲେ। ସ୍ୱଦେଶୀ ଏରୋସ୍ପେସ୍ ପ୍ରଯୁକ୍ତିର ପ୍ରଦର୍ଶନ ସହ ବ୍ୟବସାୟିକ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।



