ଗଲୱାନ ପରେ ପ୍ରଥମ ଭାରତ ଗସ୍ତରେ ସି ଜିନପିଙ୍ଗ! ବ୍ରିକ୍ସ ସମ୍ମିଳନୀକୁ ନେଇ ବଢ଼ିଲା କୂଟନୈତିକ ଚର୍ଚ୍ଚା
ନୂଆଦିଲ୍ଲୀ: ପ୍ରାୟ ଛଅ ବର୍ଷ ପରେ ଭାରତ-ଚୀନ୍ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାର ସଙ୍କେତ ମିଳିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିପାରନ୍ତି। ୨୦୨୦ର ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ।
ଗଲୱାନ ଘଟଣା ପରେ ଦୁଇ ଦେଶ ମଧ୍ୟରେ ସୀମା ଉତ୍ତେଜନା ଓ କୂଟନୈତିକ ସମ୍ପର୍କରେ ଦୂରତା ବଢ଼ିଥିଲା। ଏପରି ସ୍ଥିତିରେ ସି ଜିନପିଙ୍ଗଙ୍କ ସମ୍ଭାବ୍ୟ ଭାରତ ଗସ୍ତକୁ ଉଭୟ ଦେଶର ସମ୍ପର୍କ ସୁଧାର ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।
ସୂଚନା ଅନୁଯାୟୀ, ଏହି ଗସ୍ତ ପୂର୍ବରୁ ଭାରତ ଓ ଚୀନ୍ ମଧ୍ୟରେ ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନା ହେବାର ସମ୍ଭାବନା ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଚୀନ୍ ଗସ୍ତ କରିପାରନ୍ତି। ଏହା ସହ ସୀମା ବିବାଦକୁ ନେଇ WMCC ବୈଠକ ଏବଂ ଦୁଇ ଦେଶର ବିଶେଷ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହେବାର ଆଶା ରହିଛି।
ଉଲ୍ଲେଖଯୋଗ୍ୟ, ସି ଜିନପିଙ୍ଗଙ୍କ ଶେଷ ଭାରତ ଗସ୍ତ ୨୦୧୯ ଅକ୍ଟୋବରରେ ହୋଇଥିଲା। ତାହାର କିଛି ମାସ ପରେ ୨୦୨୦ରେ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା, ଯାହା ଦୁଇ ଦେଶର ସମ୍ପର୍କକୁ ଗଭୀର ପ୍ରଭାବିତ କରିଥିଲା। ବର୍ତ୍ତମାନର ଏହି ପ୍ରସ୍ତାବିତ ଗସ୍ତକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାର ପ୍ରୟାସ ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି।



