ଅମିତ ଶାହଙ୍କ ସହ ମୋହନ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ଓଡ଼ିଶାର ବିକାଶ, ସୁରକ୍ଷା ଓ ଶିଳ୍ପାୟନ ଉପରେ ଆଲୋଚନା
ନୂଆଦିଲ୍ଲୀ: ଓଡ଼ିଶାର ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ବିକାଶ, ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ଶିଳ୍ପାୟନ ଓ କଲ୍ୟାଣକାରୀ ଯୋଜନାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ବିକାଶର ଏକ ନୂତନ ଦିଗକୁ ଅଗ୍ରସର ହେଉଛି। ରାଜ୍ୟରେ ଚାଲିଥିବା ବିକାଶମୂଳକ ପଦକ୍ଷେପ ଓ ଲୋକକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ମୁଖ୍ୟମନ୍ତ୍ରୀ ନକ୍ସଲ ଦମନରେ କେନ୍ଦ୍ରର ସହଯୋଗକୁ ପ୍ରଶଂସା କରି କହିଥିଲେ ଯେ, ଏହା ଫଳରେ ଓଡ଼ିଶା ଆଜି ଏକ “ନକ୍ସଲମୁକ୍ତ ରାଜ୍ୟ” ଭାବେ ପରିଚିତ ହୋଇପାରିଛି। ଏହା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିକାଶ କାର୍ଯ୍ୟକ୍ରମ ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଥିଲେ।
ଏହାସହ ଶିଳ୍ପାୟନର ଦ୍ରୁତ ଅଗ୍ରଗତି, ଶିଳ୍ପ ସୁରକ୍ଷା, ସମବାୟ କ୍ଷେତ୍ରର ବିକାଶ ଓ ବନ୍ଦ ପଡ଼ିଥିବା ଚିନି କଳର ପୁନରୁଦ୍ଧାର ପାଇଁ କେନ୍ଦ୍ରର ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ।
ଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ସରକାରଙ୍କ ବିକାଶମୂଳକ ଓ ଜନକଲ୍ୟାଣକାରୀ ପଦକ୍ଷେପର ପ୍ରଶଂସା କରିଥିଲେ। ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରହିବ ବୋଲି ସେ ଆଶ୍ୱାସନା ଦେଇଥିଲେ।



