ପ୍ରତିରକ୍ଷା ହିସାବ ବିଭାଗର ନୂଆ ମୁଖ୍ୟ ହେଲେ ଅଲ୍କା ନାଙ୍ଗିଆ ଆରୋରା
ନୂଆଦିଲ୍ଲୀ, ୧ ଅଗଷ୍ଟ: ଭାରତୀୟ ପ୍ରତିରକ୍ଷା ହିସାବ ସେବା (IDAS)ର ୧୯୯୧ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ଅଲ୍କା ନାଙ୍ଗିଆ ଆରୋରା ଶନିବାର କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଡିଫେନ୍ସ ଆକାଉଣ୍ଟସ୍ (CGDA) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରର ଆର୍ଥିକ ପରିଚାଳନାରେ ତିନି ଦଶକରୁ ଅଧିକ ଅଭିଜ୍ଞତା ଥିବା ଶ୍ରୀମତୀ ଆରୋରାଙ୍କ ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ଗଡ଼ୱାଲ ବିଶ୍ୱବିଦ୍ୟାଳୟ ଏବଂ IIT ରୁର୍କିର ପୂର୍ବତନ ଛାତ୍ରୀ ଅଲ୍କା ନାଙ୍ଗିଆ ଆରୋରା କେନ୍ଦ୍ର ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଉଚ୍ଚପଦବୀରେ କାର୍ଯ୍ୟ କରିଛନ୍ତି। କୃଷି ମନ୍ତ୍ରଣାଳୟ, MSME ମନ୍ତ୍ରଣାଳୟ, ବସ୍ତ୍ର ମନ୍ତ୍ରଣାଳୟ ଏବଂ ସେଣ୍ଟ୍ରାଲ୍ କଟେଜ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ରେ ତାଙ୍କର ନେତୃତ୍ୱ ଉଲ୍ଲେଖନୀୟ ରହିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀମତୀ ଆରୋରା ସେନା, ନୌସେନା ଓ ବାୟୁସେନାର ବିଭିନ୍ନ ଆର୍ଥିକ ପରିଚାଳନା ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ସେ କୋଲକାତା, ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବା ସହ CGDA ମୁଖ୍ୟାଳୟରେ ଅଡିଟ୍, ସୂଚନା ପ୍ରଯୁକ୍ତି, ପ୍ରଶିକ୍ଷଣ ଓ ନୀତି ନିର୍ଦ୍ଧାରଣ ସମ୍ବନ୍ଧୀୟ କାର୍ଯ୍ୟର ମଧ୍ୟ ନେତୃତ୍ୱ ନେଇଛନ୍ତି।
ପ୍ରତିରକ୍ଷା ଆର୍ଥିକ ପରିଚାଳନା, ସରକାରୀ ଅର୍ଥନୀତି, କ୍ରୟ ନୀତି, କୃଷି ଗବେଷଣା ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ତାଙ୍କର ଦୀର୍ଘ ଅନୁଭବ ନୂତନ ଦାୟିତ୍ୱରେ ଦେଶର ପ୍ରତିରକ୍ଷା ହିସାବ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।



