ଓଡ଼ିଶାକୁ ନିଶାମୁକ୍ତ କରିବାକୁ ୧୦୦ ସପ୍ତାହର ଜନ-ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର, ୨ ଅଗଷ୍ଟ: ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୦୦ ସପ୍ତାହ ଧରି ଚାଲିବାକୁ ଥିବା ଏକ ବ୍ୟାପକ ଜନ-ଆନ୍ଦୋଳନ ଆରମ୍ଭ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ‘ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରି କହିଛନ୍ତି ଯେ, ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ସମଗ୍ର ସମାଜର ସହଯୋଗରେ ଚାଲିବାକୁ ଥିବା ଏକ ଐତିହାସିକ ଅଭିଯାନ।
ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଉପସ୍ଥିତ ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନର ଶପଥ ପାଠ କରାଇଥିଲେ। ସେ କହିଥିଲେ, ଯୁବମାନେ ଦେଶର ଭବିଷ୍ୟତ ଶକ୍ତି। ତେଣୁ ନିଶାଠାରୁ ଦୂରେଇ କ୍ରୀଡ଼ା, ଶିକ୍ଷା, ଯୋଗ ଓ ସମାଜସେବାକୁ ଜୀବନର ଲକ୍ଷ୍ୟ କରିବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଶା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ନୁହେଁ, ପରିବାର ଓ ସମାଜର ଆର୍ଥିକ ଓ ସାମାଜିକ ବ୍ୟବସ୍ଥାକୁ ମଧ୍ୟ ଦୁର୍ବଳ କରୁଛି। ଏହି କାରଣରୁ ନିଶା କାରବାର ବିରୋଧରେ ରାଜ୍ୟ ସରକାର ‘ଜିରୋ ଟଲରେନ୍ସ’ ନୀତି ଆପଣାଇଛନ୍ତି।
ସେ ତଥ୍ୟ ଦେଇ କହିଥିଲେ ଯେ, ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ଓଡ଼ିଶା ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ୪୩୨ ଟନ୍ ଗଞ୍ଜେଇ ଜବତ କରିଛି। ଏହି ସମୟରେ ୨,୫୭୬ଟି ମାମଲା ରୁଜୁ ହୋଇ ୩,୬୯୯ ଜଣଙ୍କୁ ଗିରଫ କରାଯାଇଛି।
ମୁଖ୍ୟମନ୍ତ୍ରୀ ଡ୍ରଗ୍ସ ମାଫିଆଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯୁବସମାଜର ଜୀବନ ସହ ଖେଳୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ବୁଲଡୋଜର ଆକ୍ସନ୍ ସମେତ କଠୋର ଆଇନଗତ ପଦକ୍ଷେପ ନିଆଯିବ। ସେହିପରି ସନ୍ଦେହଜନକ ନିଶା କାରବାର ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ବିଦ୍ୟାଳୟ, ମହାବିଦ୍ୟାଳୟ, NSS, MY Bharat ଓ ଯୁବ କ୍ଲବର ସଦସ୍ୟମାନେ ଏହି ଅଭିଯାନର ମୁଖ୍ୟ ବାର୍ତ୍ତାବାହକ ହେବେ। ରାଜ୍ୟର ୪୫୩ଟି କେନ୍ଦ୍ରରେ ସିଧାପ୍ରସାରଣ ମାଧ୍ୟମରେ ୧.୬ ଲକ୍ଷରୁ ଅଧିକ ଯୁବକ-ଯୁବତୀ ଏହି ନିଶାମୁକ୍ତି ସଂକଳ୍ପରେ ସାମିଲ ହୋଇଥିଲେ।
ସରକାରଙ୍କ ଲକ୍ଷ୍ୟ ହେଉଛି, ଆସନ୍ତା ଦୁଇ ବର୍ଷ ଧରି ନିରନ୍ତର ସଚେତନତା, କଡ଼ା ଆଇନ ପ୍ରୟୋଗ ଓ ଜନସହଭାଗିତା ମାଧ୍ୟମରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା।



