ମସ୍କୋରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୨୧ ଆହତ
ମସ୍କୋ, ୨ ଅଗଷ୍ଟ: ରୁଷର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ଶନିବାର ସନ୍ଧ୍ୟାରେ ଘଟିଥିବା ଶକ୍ତିଶାଳୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବିସ୍ଫୋରଣ ଘଟାଇଥିବା ସନ୍ଦିଗ୍ଧ ମହିଳା, ଜଣେ ସୁରକ୍ଷାକର୍ମୀ ଓ ଜଣେ ଗ୍ରାହକ ଥିବା ସୂଚନା ମିଳିଛି।
ରୁଷର ଜାତୀୟ ଆତଙ୍କବାଦ ବିରୋଧୀ କମିଟିର ସୂଚନା ଅନୁଯାୟୀ, ଜଣେ ଅଜଣା ମହିଳା କୁଡ୍ରିନସ୍କାୟା ସ୍କୋୟାର ସ୍ଥିତ ବାଲଝି ରୋସି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ। ଏହି ସମୟରେ ତାଙ୍କ ପାଖରେ ଥିବା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣ ହୋଇଥିଲା।
ପ୍ରଥମେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ, ପରେ ରୁଷୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଏହା ଏକ IED ବିସ୍ଫୋରଣ। ଘଟଣା ପରେ ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳ ଘେରାଉ କରି ତଦନ୍ତ ଆରମ୍ଭ କରିଛି। ସନ୍ଦିଗ୍ଧ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।
ଏହି ଘଟଣା ପରେ ମସ୍କୋରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ବେଳେ ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ଓ ଷଡ଼ଯନ୍ତ୍ର ସମ୍ପର୍କରେ ତଦନ୍ତ ଜାରି ରହିଛି।



