ହୀରାକୁଦ ଡ୍ୟାମର ୨୨ ଗେଟ୍ ଖୋଲା, ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର, ୨ ଅଗଷ୍ଟ: ହୀରାକୁଦ ଡ୍ୟାମରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୨ଟି ଗେଟ୍ ଦେଇ ନିରନ୍ତର ବନ୍ୟାଜଳ ନିଷ୍କାସନ କରାଯାଉଛି। ଡ୍ୟାମକୁ ଆସୁଥିବା ଜଳଠାରୁ ଅଧିକ ପରିମାଣର ପାଣି ଛଡ଼ାଯାଉଥିବାରୁ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ସୂଚନା ମିଳିଛି।
ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଡ୍ୟାମକୁ ୨,୩୭,୯୩୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩,୮୭,୦୬୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଫଳରେ ଡ୍ୟାମର ଜଳସ୍ତର ୬୨୪ ଫୁଟ୍କୁ ଖସିଆସିଛି।
ତଳମୁଣ୍ଡ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ଜଳପ୍ରବାହର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ପରିସ୍ଥିତି ଅନୁଯାୟୀ ଗେଟ୍ ପରିଚାଳନା ଓ ଜଳ ନିଷ୍କାସନ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଭାଗ ସୂଚନା ଦେଇଛି।
ନଦୀର ତଳମୁଣ୍ଡ ଅଞ୍ଚଳରେ ଥିବା ଲୋକମାନଙ୍କୁ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସୂଚନାକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।



