ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୪ ଜଣଙ୍କ ମୃତ୍ୟୁ, ଶାନ୍ତି ରାଲି ବେଳେ ରକ୍ତାକ୍ତ କାଣ୍ଡ
ଇସଲାମାବାଦ, ୦୩/୦୮: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ ଜିଲ୍ଲାରେ ରବିବାର ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ପୋଲିସ ଷ୍ଟେସନ ନିକଟରେ ଘଟିଥିବା ଏହି ବିସ୍ଫୋରଣ ପଛରେ ଆତ୍ମଘାତୀ ଆକ୍ରମଣର ସନ୍ଦେହ କରାଯାଉଥିଲେ ମଧ୍ୟ, ସରକାରୀ ଭାବେ ଏପର୍ଯ୍ୟନ୍ତ କୌଣସି ପୁଷ୍ଟି କରାଯାଇନାହିଁ।
ପ୍ରାରମ୍ଭିକ ସୂଚନା ଅନୁସାରେ, ପୋଲିସ ଷ୍ଟେସନର ପ୍ରବେଶ ଦ୍ୱାରରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତଲାସି କରାଯାଉଥିବା ସମୟରେ ସେ ନିଜ ଶରୀରରେ ବାନ୍ଧିଥିବା ବିସ୍ଫୋରକକୁ ବିସ୍ଫୋରଣ କରିଥିଲେ। ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳିଛି।
ଘଟଣା ସମୟରେ ‘ସ୍ୱାତ ଅମାନ ଜିରଗା’ ପକ୍ଷରୁ ଆୟୋଜିତ ଶାନ୍ତି ରାଲିରେ ଶହ ଶହ ଲୋକ ଅଂଶଗ୍ରହଣ କରି ଆତଙ୍କବାଦ ବିରୋଧରେ ସ୍ୱର ଉଠାଉଥିଲେ। ବିସ୍ଫୋରଣ ପରେ ରାଲିସ୍ଥଳରେ ଅଫରାତଫରୀ ସୃଷ୍ଟି ହୋଇଥିଲା ଏବଂ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ସୈଦୁ ସରିଫ ଶିକ୍ଷା ହସ୍ପିଟାଲକୁ ଭର୍ତ୍ତି କରିଥିଲେ।
ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କୌଣସି ଉଗ୍ରବାଦୀ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହିଁ।
ଗତ କିଛି ମାସ ଧରି ଖାଇବର ପଖତୁନଖ୍ୱା ପ୍ରଦେଶରେ ବଢ଼ୁଥିବା ହିଂସା ମଧ୍ୟରେ ଏହି ବିସ୍ଫୋରଣ ପୁଣିଥରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ବିସ୍ଫୋରଣର ପ୍ରକୃତ କାରଣ ଓ ମୃତକଙ୍କ ପରିଚୟ ନେଇ ତଦନ୍ତ ଜାରି ରହିଛି।



