ଅନୁଗୋଳ ସହରରେ AI କ୍ୟାମେରାର କଡ଼ା ନଜର: ପ୍ରଥମ ଦିନରେ ୧୦୦ ଜଣଙ୍କ କଟିଲା ଚାଲାଣ

ଅନୁଗୋଳ, ୦୩/୦୮: ଅନୁଗୋଳ ସହରରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଲଗାଯାଇଥିବା AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଆଧାରିତ ଟ୍ରାଫିକ କ୍ୟାମେରା କାର୍ଯ୍ୟକ୍ଷମ ହେବାର ପ୍ରଥମ ଦିନରେ ହିଁ ବ୍ୟାପକ ସଫଳତା ମିଳିଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୦୦ ଜଣ ଯାନଚାଳକଙ୍କ ନାମରେ ଇ-ଚାଲାଣ ଜାରି କରାଯାଇଛି।
ଟ୍ରାଫିକ ବିଭାଗର ସୂଚନା ଅନୁସାରେ, ସହରର ବିଭିନ୍ନ ପ୍ରମୁଖ ଛକ ଓ ବ୍ୟସ୍ତବହୁଳ ରାସ୍ତାରେ ସ୍ଥାପିତ AI କ୍ୟାମେରା ଦ୍ୱାରା ହେଲମେଟ ନ ପିନ୍ଧି ଗାଡ଼ି ଚଳାଇବା, ଟ୍ରିପଲ ରାଇଡିଂ, ଦୁଇ ଆରୋହୀଙ୍କ ହେଲମେଟ ନ ଥିବା, ସିଗ୍ନାଲ ଉଲ୍ଲଂଘନ ଓ ଅନ୍ୟାନ୍ୟ ଟ୍ରାଫିକ ନିୟମ ଭଙ୍ଗ ଚିହ୍ନଟ କରାଯାଇଛି।
AI କ୍ୟାମେରା ସ୍ୱୟଂଚାଳିତ ଭାବେ ଯାନର ନମ୍ବର ପ୍ଲେଟ୍ ଚିହ୍ନଟ କରି ନିୟମ ଉଲ୍ଲଂଘନର ତଥ୍ୟ ସଂଗ୍ରହ କରୁଛି। ଏହାପରେ ସମ୍ପୃକ୍ତ ଯାନମାଲିକଙ୍କ ମୋବାଇଲକୁ ଇ-ଚାଲାଣ ପଠାଯାଉଛି। ଏହି ବ୍ୟବସ୍ଥା ଯୋଗୁଁ ଟ୍ରାଫିକ ନିୟମ କାର୍ଯ୍ୟକାରୀ କରିବା ଅଧିକ ସହଜ ହୋଇଛି।
ଟ୍ରାଫିକ ପୋଲିସ ପକ୍ଷରୁ ସହରବାସୀଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା, ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବ୍ୟବହାର କରିବା, ଟ୍ରିପଲ ରାଇଡିଂ ନ କରିବା ଏବଂ ଟ୍ରାଫିକ ସଙ୍କେତ ମାନିବାକୁ ଅପିଲ କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ, AI କ୍ୟାମେରା ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ଏବଂ ଟ୍ରାଫିକ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ସଡ଼କ ଦୁର୍ଘଟଣା ହ୍ରାସ ଓ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।




