ସୋରରେ ହାତୀ ଉପଦ୍ରବ ଚରମରେ: ସନ୍ଧ୍ୟା ହେଲେ ଘରେ ବନ୍ଦୀ ଜୀବନ, ଭୟରେ କଟୁଛି ରାତି
ସୋର, ୦୩/୦୮: ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅଧୀନ ମାଣିପୁର, ସିଙ୍ଗାଖୁଣ୍ଟା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି। ପରିସ୍ଥିତି ଏପରି ହୋଇଛି ଯେ, ସନ୍ଧ୍ୟା ହେବା ମାତ୍ରେ ଗାଁର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଲୋକମାନେ ଭୟରେ ଘରର ତାଟି-କବାଟ ବନ୍ଦ କରି ଭିତରେ ରହୁଛନ୍ତି ଏବଂ ଅତ୍ୟାବଶ୍ୟକ କାମ ନଥିଲେ ବାହାରକୁ ବାହାରିବାକୁ ସାହସ କରୁନାହାନ୍ତି।
ବାରମ୍ବାର ହାତୀ ଆକ୍ରମଣ ଘଟୁଥିବାରୁ ସ୍ଥାନୀୟ ଲୋକେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ଜୁଲାଇ ୨୫ ତାରିଖରେ ବାଘଆମ୍ପୁଡ଼ା ଗାଁରେ ଦୁଇ ଜଣଙ୍କୁ ହାତୀ ଆକ୍ରମଣ କରି ଗୁରୁତର ଆହତ କରିଥିଲା। ପରେ ବନ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହାପରେ ଜୁଲାଇ ୩୦ ରାତିରେ ଗୋପୀନାଥପୁର ପଞ୍ଚାୟତର ଉପରଗଡ଼ ଗାଁରେ ହାତୀପଲ ଏକ ଘର ଭାଙ୍ଗି ଦେଇଥିଲେ। ସେତେବେଳେ ପରିବାର ସଦସ୍ୟମାନେ ଘର ଭିତରେ ଶୋଇଥିଲେ। ଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ହାତୀପଲ କେବଳ ଘର ଭାଙ୍ଗୁନାହାନ୍ତି, ବରଂ ଧାନ, ପନିପରିବା ସହ ବିଭିନ୍ନ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଉଥିବାରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି। ଏହାର ପ୍ରଭାବରେ ପିଲାମାନଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଧ୍ୟହୋଇ ଅନେକ ଛାତ୍ରଛାତ୍ରୀ ଟର୍ଚ୍ଚ କିମ୍ବା ମୋବାଇଲ୍ ଆଲୋକରେ ପାଠ ପଢ଼ୁଛନ୍ତି।
ସ୍ଥାନୀୟ ଲୋକେ ହାତୀ ଉପଦ୍ରବରୁ ସ୍ଥାୟୀ ମୁକ୍ତି ଓ ଜୀବନ-ଜୀବିକାର ସୁରକ୍ଷା ପାଇଁ ବନ ବିଭାଗକୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।



