ଅନୁଗୋଳ ବନଖଣ୍ଡରେ ବ୍ୟାପକ କମ୍ବିଂ ଅପରେସନ୍, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ
ଅନୁଗୋଳ, ୪ ଅଗଷ୍ଟ: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡରେ ସୋମବାର ଜୀବେଦୟା କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ରେଞ୍ଜରେ ବ୍ୟାପକ କମ୍ବିଂ ଅପରେସନ୍ ଚଳାଯାଇଥିଲା।
ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଆୟୋଜିତ ଏହି ଅଭିଯାନରେ ବନ ଅଧିକାରୀ, କ୍ଷେତ୍ର କର୍ମଚାରୀ, ସ୍କ୍ୱାଡ୍ ସଦସ୍ୟ ଏବଂ ଗଜମିତ୍ରମାନେ ମିଳିତ ଭାବେ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ।
ଅଭିଯାନ ସମୟରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖାଯିବା ସହ ଶିକାର, ବେଆଇନ ଅନୁପ୍ରବେଶ, ଜଙ୍ଗଲ ଜମି ଜବରଦଖଲ ଏବଂ ବେଆଇନ ଗଛକଟା ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ୱତନ୍ତ୍ର ତଦାରଖ କରାଯାଇଥିଲା।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଭଳି ନିୟମିତ କ୍ଷେତ୍ରସ୍ତରୀୟ ଅଭିଯାନ ଜଙ୍ଗଲ ସୁରକ୍ଷାକୁ ସୁଦୃଢ଼ କରିବା ସହ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଏବଂ ମାନବ-ବନ୍ୟଜନ୍ତୁ ସହାବସ୍ଥାନକୁ ପ୍ରୋତ୍ସାହିତ କରୁଛି।
ଅନୁଗୋଳ ବନଖଣ୍ଡର ସମସ୍ତ କ୍ଷେତ୍ର କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବନ ବିଭାଗ ମତ ପ୍ରକାଶ କରିଛି।



