ଛେଣ୍ଡିପଦାରେ ସ୍ୱାବଲମ୍ବନର ନୂଆ ପଦକ୍ଷେପ: VSSକୁ ମିଳିଲା ହାଇଡ୍ରୋଲିକ୍ ପେପର ପ୍ଲେଟ୍ ମେସିନ୍
ଅନୁଗୋଳ, ୪ ଅଗଷ୍ଟ: ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଗୋଷ୍ଠୀ ଜୀବିକା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଛେଣ୍ଡିପଦା ରେଞ୍ଜର ମାରୁଢିପା VSS ଏବଂ ଛୋଟ ଗୋଲାଗାଡ଼ିଆ VSSରେ ହାଇଡ୍ରୋଲିକ୍ ପେପର ପ୍ଲେଟ୍ ତିଆରି ମେସିନ୍ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି।
ଏହି ଅବସରରେ ସ୍ଥାନୀୟ ହିତାଧିକାରୀଙ୍କୁ ମେସିନ୍ର ସଠିକ୍ ବ୍ୟବହାର, ପେପର ପ୍ଲେଟ୍ ପ୍ରସ୍ତୁତି ପ୍ରକ୍ରିୟା ଏବଂ ଉତ୍ପାଦର ଗୁଣବତ୍ତା ବଜାୟ ରଖିବା ସମ୍ପର୍କରେ ପ୍ରାୟୋଗିକ ତାଲିମ ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।
ସେହିପରି କମ୍ ମୂଲ୍ୟରେ କଞ୍ଚାମାଲ ସଂଗ୍ରହ, ଉତ୍ପାଦନ ଖର୍ଚ୍ଚ କମାଇବା ଏବଂ ପେପର ପ୍ଲେଟ୍ ଉତ୍ପାଦନକୁ ଏକ ସ୍ଥାୟୀ ଆୟର ମାଧ୍ୟମରେ ପରିଣତ କରିବା ପାଇଁ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦିଆଯାଇଥିଲା।
ବନ ବିଭାଗର ଏହି ପଦକ୍ଷେପ VSS ସଦସ୍ୟମାନଙ୍କ ପାଇଁ ଗ୍ରାମସ୍ତରରେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କୁ ଆର୍ଥିକ ଭାବେ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ କରିବ ବୋଲି ଆଶା କରାଯାଉଛି। ଜଙ୍ଗଲ ସଂରକ୍ଷଣ ସହ ସ୍ଥାନୀୟ ସମୁଦାୟର ଆର୍ଥିକ ବିକାଶକୁ ଗୁରୁତ୍ୱ ଦେଇ ବନ ବିଭାଗ ପକ୍ଷରୁ ଏଭଳି ଜୀବିକାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।



