ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା; କୃଷି ଗବେଷଣାକୁ ମିଳିବ ନୂଆ ପ୍ରୋତ୍ସାହନ
ଭୁବନେଶ୍ୱର, ୫ ଅଗଷ୍ଟ: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ନିୟମିତ ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ପ୍ରଦାନ କରିବାକୁ କୃଷି ବିଭାଗ ଘୋଷଣା କରିଛି।
ଏହି ଯୋଜନା ଅନୁଯାୟୀ, କୃଷି ଓ ଆନୁଷଙ୍ଗିକ ବିଷୟରେ ଦୁଇ ବର୍ଷିଆ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରତିମାସ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ। ସେହିପରି ପିଏଚ୍.ଡି ଗବେଷକମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ୧୫,୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଯୁବ ଗବେଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ମାଧ୍ୟମରେ ରାଜ୍ୟର କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନ ଓ ଉନ୍ନତ ଗବେଷଣାକୁ ପ୍ରୋତ୍ସାହନ ମିଳିବ। ଆର୍ଥିକ ଚାପରୁ ମୁକ୍ତ ହୋଇ ଛାତ୍ରଛାତ୍ରୀମାନେ ଗବେଷଣାରେ ଅଧିକ ମନୋନିବେଶ କରିପାରିବେ, ଯାହାର ସୁଫଳ ରାଜ୍ୟର ଚାଷୀ ସମାଜ ପାଇବ।
ସରକାରଙ୍କ ମତରେ, ଏହି ଷ୍ଟାଇପେଣ୍ଡ ବ୍ୟବସ୍ଥା ଓଡ଼ିଶାର କୃଷି ଶିକ୍ଷା, ଗବେଷଣା ଓ ନବସୃଜନକୁ ନୂଆ ଦିଗ ଦେବା ସହ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତି ଅଧିକ ଆକର୍ଷିତ କରିବ।



