ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଆଉଟବାଉଣ୍ଡ ଲଜିଷ୍ଟିକ୍ସ ବିଭାଗରେ କାର୍ଯ୍ୟରତ ଟାଟା ଷ୍ଟିଲ ସପୋର୍ଟ ସର୍ଭିସେସ୍ ଲିମିଟେଡର କର୍ମଚାରୀ ଶ୍ରୀ ବିଷ୍ଣୁଦେବ ନାଏକ (୫୦)ଙ୍କ ଅକାଳ ବିୟୋଗରେ ଆମେ ଗଭୀର ଭାବେ ମର୍ମାହତ।
ଗତ ଜୁଲାଇ ୨୯ ତାରିଖ, ଦିନ୧୨ଟା ବେଳେ ଶ୍ରୀ ନାଏକ କାର୍ଯ୍ୟକ୍ଷେତ୍ରରେ ଥିବା ସମୟରେ ତାଙ୍କ ଡାହାଣ ହାତ ଓ ଗୋଡ଼ରେ ଗଭୀର ଯନ୍ତ୍ରଣା ହେବା ସହ ସେ ଅସୁସ୍ଥ ହୋଇପଡ଼ିଥିଲେ। ସହକର୍ମୀଙ୍କ ଦ୍ୱାରା ତାଙ୍କୁ ତୁରନ୍ତ ଟାଟା ମେନ୍ ହସ୍ପିଟାଲ୍ (ଟିଏମ୍ଏଚ୍), ମେରାମଣ୍ଡଳୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଡାକ୍ତରୀ ପରୀକ୍ଷାନିରୀକ୍ଷା ପରେ ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିବା ଜଣାପଡ଼ିଥିଲା। ଟିଏମ୍ଏଚ୍ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ୱତନ୍ତ୍ର ସ୍ନାୟରୋଗ ଚିକିତ୍ସା ପାଇଁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଡାକ୍ତରୀ ଟିମ୍ର ସମସ୍ତ ଚେଷ୍ଟା ଓ ସର୍ବୋତ୍ତମ ଚିକିତ୍ସା ସେବା ସତ୍ତ୍ୱେ ଆଜି ସକାଳ ୬ଟା ୨୦ ମିନିଟରେ ଶ୍ରୀ ନାଏକଙ୍କର ଅକାଳ ବିୟୋଗ ହୋଇଛି। ଶ୍ରୀ ନାଏକ ବଅଁରପାଳ ବ୍ଲକ ଅଧୀନ ତାଳବାହାଳ ଗ୍ରାମର ବାସିନ୍ଦା।
ଟାଟା ଷ୍ଟିଲ୍ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଏହି କଠିନ ସମୟରେ ଆମେ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ କମ୍ପାନୀର ନୀତି ଓ ନିୟମାନୁସାରେ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।
ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଶ୍ରୀ ନାଏକଙ୍କର ବ୍ରେନ୍ ହାମରେଜ୍ରେ ପରଲୋକ ଘଟିଛି। ଏହି ଅଘଟଣ କାର୍ଯ୍ୟକ୍ଷେତ୍ରରେ କିମ୍ବା ପ୍ଲାଣ୍ଟ ସମ୍ବନ୍ଧୀୟ କୌଣସି ଦୁର୍ଘଟଣା ସହିତ ଜଡ଼ିତ ନୁହେଁ।
ଏକ ଦାୟିତ୍ୱବାନ୍ କର୍ପୋରେଟ୍ ସଂସ୍ଥା ଭାବରେ ଟାଟା ଷ୍ଟିଲ୍ ନିଜର କର୍ମଚାରୀ ଏବଂ ଶ୍ରମିକମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।



