ଯାଜପୁର ଖରସ୍ରୋତା ନଦୀରୁ ନିଖୋଜ ଯୁବକ ଅଂଶୁମାନ ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର
ତାଳଚେର/ଯାଜପୁର, ୦୫ ଅଗଷ୍ଟ: ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ୨୨ ବର୍ଷୀୟ ଯୁବକ ଅଂଶୁମାନ ଗଡ଼ନାୟକଙ୍କ ମୃତଦେହ ଶେଷରେ ଯାଜପୁର ଜିଲ୍ଲାର ଖରସ୍ରୋତା ନଦୀରୁ ଉଦ୍ଧାର କରାଯାଇଛି। ଯାଜପୁର ପୋଲିସ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଗ୍ରାମ, ପୋଷ୍ଟ ଅରାହଟର ବାସିନ୍ଦା ଅଂଶୁମାନ ଗଡ଼ନାୟକ (୨୨) ଗତ କିଛି ଦିନ ପୂର୍ବେ ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର କାକୁଡ଼ି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ନଦୀର ପ୍ରବଳ ସ୍ରୋତରେ ସେ ଭାସି ଯାଇଥିଲେ।
ଘଟଣା ପରେ ତାଳଚେର ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ (ODRAF) ଟିମ୍ ଲଗାତାର ତିନି ଦିନ ଧରି ବ୍ୟାପକ ଖୋଜାଖୋଜି କରିଥିଲେ। କିନ୍ତୁ ନଦୀର ପ୍ରଖର ସ୍ରୋତ ଯୋଗୁଁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏହାକୁ ନେଇ ପରିବାର ଓ ଗ୍ରାମବାସୀ ଗଭୀର ଚିନ୍ତା ଓ ଆଶଙ୍କାରେ ଥିଲେ।
ଶେଷରେ ବ୍ରାହ୍ମଣୀ ନଦୀର ସ୍ରୋତରେ ଭାସି ଯାଇଥିବା ଅଂଶୁମାନଙ୍କ ମୃତଦେହ ଯାଜପୁର ଜିଲ୍ଲାର ଖରସ୍ରୋତା ନଦୀରୁ ଠାବ କରାଯାଇଥିଲା। ଖବର ପାଇ ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ଏକ କେଶ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ମୃତକଙ୍କ ପରିବାରକୁ ଫଟୋ ପଠାଇଥିଲେ। ପରିବାର ଲୋକେ ମୃତକଙ୍କ ଲକେଟ ଓ ପିନ୍ଧିଥିବା ଏକ ଚଡ଼ି କୁ ଚିହ୍ନି ନିଶ୍ଚିତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ମୃତ ଅଂଶୁମାନ ଗଡ଼ନାୟକଙ୍କ ପିତା ଅନିଲ୍ କୁମାର ଗଡ଼ନାୟକ ଓ ମାତା ସୁପ୍ରଭା ଗଡ଼ନାୟକ ପୁଅର ମୃତ୍ୟୁ ଖବର ପାଇବା ପରେ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ବଉଳିଗଡ଼ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ ମଧ୍ୟ ଏହି ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପୋଲିସ ପକ୍ଷରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ପରବର୍ତ୍ତୀ ତଦନ୍ତ ଜାରି ରହିଛି।




