ମହିଳାଙ୍କୁ ସିଲେଇ ମେସିନ୍, ହାତୀପ୍ରବଣ ଅଞ୍ଚଳକୁ ଶସ୍ୟ ସଂରକ୍ଷଣ ବାକ୍ସ; ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ

ଅନୁଗୋଳ, ୭/୮: ମହିଳା ସଶକ୍ତୀକରଣ ସହ ମଣିଷ–ହାତୀ ସଂଘର୍ଷ ହ୍ରାସ ଏବଂ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଛେଣ୍ଡିପଦା ରେଞ୍ଜ ବନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ପତ୍ତି ବଣ୍ଟନ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହାତୀପ୍ରବଣ ଅଞ୍ଚଳର ପରିବାରମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି।
ଅନୁଗୋଳ ବନଖଣ୍ଡର ସମାଜବିଜ୍ଞାନୀ ଦଳର ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋନୋଲୋଇ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳା ସଦସ୍ୟମାନଙ୍କୁ ସିଲେଇ ତାଲିମକୁ ପ୍ରୋତ୍ସାହନ ଦେବା ସହ ସ୍ୱାବଲମ୍ବୀ କରିବା ପାଇଁ ୧୦ଟି ସିଲେଇ ମେସିନ୍ ବଣ୍ଟନ କରାଯାଇଥିଲା। ଏହା ମାଧ୍ୟମରେ ସେମାନଙ୍କ ପାଇଁ ସ୍ଥାୟୀ ଜୀବିକାର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ସେହିପରି, ହାତୀ ଚଳପ୍ରଚଳ ଅଞ୍ଚଳରେ ବସବାସ କରୁଥିବା ପରିବାରମାନଙ୍କୁ ୪ଟି ଶସ୍ୟ ସଂରକ୍ଷଣ ଟିଣ ବାକ୍ସ ପ୍ରଦାନ କରାଯାଇଛି। ଘରେ ଖାଦ୍ୟଶସ୍ୟକୁ ସୁରକ୍ଷିତ ଭାବେ ସଂରକ୍ଷଣ କରିପାରିଲେ ହାତୀ ଖାଦ୍ୟ ଖୋଜି ଜନବସତିକୁ ଆସିବାର ପ୍ରବଣତା କମିବ, ଫଳରେ ମଣିଷ–ହାତୀ ସଂଘର୍ଷ ହ୍ରାସ ପାଇବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ସମୁଦାୟର ଆର୍ଥିକ ସ୍ୱାବଲମ୍ବନ, ମହିଳାଙ୍କ କ୍ଷମତା ବିକାଶ ଏବଂ ବନ୍ୟଜୀବ ସହ ସୁରକ୍ଷିତ ସହାବସ୍ଥାନକୁ ପ୍ରୋତ୍ସାହନ ଦେବା ଦିଗରେ ଅନୁଗୋଳ ବନଖଣ୍ଡର ଏପରି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବନ ବିଭାଗ ସୂଚନା ଦେଇଛି।



