ହାଇମାଷ୍ଟ ଲାଇଟ୍ରେ ଉଜ୍ଜ୍ୱଳ ହେଲା ହାତୀପ୍ରବଣ ଗ୍ରାମ; ମଣିଷ–ହାତୀ ସଂଘର୍ଷ ହ୍ରାସକୁ ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ
ଅନୁଗୋଳ, ୭/୮: ମଣିଷ–ହାତୀ ସଂଘର୍ଷକୁ କମାଇବା ଏବଂ ହାତୀପ୍ରବଣ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ସଂଘର୍ଷପ୍ରବଣ ଗ୍ରାମ ଓ ହାତୀ ଚଳପ୍ରଚଳ କରୁଥିବା ମୁଖ୍ୟ ଅଞ୍ଚଳଗୁଡ଼ିକରେ ରଣନୀତିମୂଳକ ଭାବେ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯାଇଛି।
ଏହି ଆଧୁନିକ ଆଲୋକ ବ୍ୟବସ୍ଥା ଯୋଗୁଁ ରାତ୍ରି ସମୟରେ ସ୍ଥାନୀୟ ବାସିନ୍ଦାମାନେ ହାତୀଙ୍କ ଗତିବିଧିକୁ ସୁରକ୍ଷିତ ଦୂରତାରୁ ଚିହ୍ନଟ କରିପାରୁଛନ୍ତି। ଫଳରେ ହଠାତ୍ ମଣିଷ–ହାତୀ ସାମ୍ନାସାମ୍ନି ହେବାର ଆଶଙ୍କା କମୁଥିବା ସହ ସମୟ ପୂର୍ବରୁ ସତର୍କତା ଅବଲମ୍ବନ କରିବା ସମ୍ଭବ ହେଉଛି।
କେବଳ ଗ୍ରାମବାସୀ ନୁହେଁ, ବନ ବିଭାଗର କର୍ମଚାରୀମାନଙ୍କ ପାଇଁ ମଧ୍ୟ ଏହି ହାଇମାଷ୍ଟ ଲାଇଟ୍ ବେଶ୍ ସହାୟକ ସାବ୍ୟସ୍ତ ହେଉଛି। ଆଲୋକିତ ପରିବେଶରେ ସେମାନେ ସଂଘର୍ଷପ୍ରବଣ ଅଞ୍ଚଳରେ ଅଧିକ ଫଳପ୍ରଦ ଭାବେ ନିରୀକ୍ଷଣ କରିବା ସହ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିପାରୁଛନ୍ତି।
ବନ ବିଭାଗର ମତାନୁସାରେ, ଗ୍ରାମବାସୀଙ୍କ ସକ୍ରିୟ ସହଭାଗିତା, ସଚେତନତା କାର୍ଯ୍ୟକ୍ରମ ଏବଂ ହାଇମାଷ୍ଟ ଲାଇଟ୍ ଭଳି ପ୍ରତିଷେଧମୂଳକ ବ୍ୟବସ୍ଥାର ସମନ୍ୱୟ ମାଧ୍ୟମରେ ମଣିଷ ଓ ହାତୀ ମଧ୍ୟରେ ସୁରକ୍ଷିତ ସହାବସ୍ଥାନ ସୁନିଶ୍ଚିତ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଆଶା କରାଯାଉଛି।



