ଅନୁଗୋଳ ବନଖଣ୍ଡର ବଡ଼ ସଫଳତା: ୧୨ ଶାଗୁଆନ କାଠଗଣ୍ଡି ଜବତ, ବେଆଇନ କାଠ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

ଅନୁଗୋଳ, ୭/୮: ଅନୁଗୋଳ ବନଖଣ୍ଡ ପକ୍ଷରୁ ବେଆଇନ କାଠ କାରବାର ବିରୋଧରେ ଚାଲିଥିବା ଅଭିଯାନରେ ଆଉ ଏକ ବଡ଼ ସଫଳତା ମିଳିଛି। ବିଶ୍ୱସ୍ତ ସୂଚନାକୁ ଆଧାର କରି ଗତ ୫ ଅଗଷ୍ଟରେ ଅନୁଗୋଳ ରେଞ୍ଜ ଅଧୀନ ପୁରୁଣାଗଡ଼ ସେକ୍ସନର ପୁରୁଣାଗଡ଼ ଉତ୍ତର ବିଟ୍ ଅନ୍ତର୍ଗତ ବଡ଼ଦାଣ୍ଡସାହି ଗ୍ରାମରେ ବନ ବିଭାଗ ଚଢ଼ାଉ କରିଥିଲା।
ଚଢ଼ାଉ ବେଳେ ବେଆଇନ କାଠ କାରବାର ସହ ସମ୍ପୃକ୍ତ ଥିବା ସନ୍ଦେହରେ ୧୭ ଘନମିଟର ପରିମାଣର ୧୨ଟି ଶାଗୁଆନ କାଠଗଣ୍ଡି ଜବତ କରାଯାଇଛି। ଜବତ କାଠକୁ ଆଇନଗତ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୁଣାଗଡ଼ ସେକ୍ସନ କାର୍ଯ୍ୟାଳୟକୁ ନିଆଯାଇଛି।
ଏହି ସଫଳ ଅଭିଯାନରେ ଫରେଷ୍ଟର ଅଭିମନ୍ୟୁ ମାଝୀ ଓ ସହଦେବ ସୋରେନ, ଫରେଷ୍ଟ ଗାର୍ଡ ନିହାରିକା ସାହୁ ଓ ପ୍ରିୟତମା ସାହୁ, ଏଲିଫାଣ୍ଟ ସ୍କ୍ୱାଡ୍ର ସିଧାନ୍ଦ ଦାସ ଓ ପ୍ରଦୀପ କୁମାର ବେହେରା, ଏବଂ ଗଜମିତ୍ର ପ୍ରମୋଦ ସୁବୁଦ୍ଧି ଓ ବିକାଶ ହଂସା ସକ୍ରିୟ ଭାବେ ସାମିଲ ହୋଇଥିଲେ।
ଅନୁଗୋଳ ବନଖଣ୍ଡ ପକ୍ଷରୁ କୁହାଯାଇଛି ଯେ, ବନ ସମ୍ପଦର ସୁରକ୍ଷା ଓ ବେଆଇନ କାଠ କାରବାରକୁ ରୋକିବା ପାଇଁ ଏଭଳି ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ବନ ବିଭାଗ ଗ୍ରୀନ୍ ୱାରିୟର୍ସଙ୍କ ନିଷ୍ଠା, ସତର୍କତା ଓ ସେବାଭାବକୁ ପ୍ରଶଂସା କରିଛି।




