ବିଏମ୍ଡବ୍ଲ୍ୟୁ କାର୍ରେ ଧଳାଜହର କାରବାର, ୩ ଗିରଫ
ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦାମୀ BMW କାର୍ରେ ଚାଲିଥିଲା ଧଳାଜହର କାରବାର। ଗୁପ୍ତ ସୂଚନା ପାଇ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଏହାସହ ଗୋଟିଏ BMW କାର୍ ଓ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି।
ପୁଲିସ ସୂଚନା ଅନୁସାରେ କଣିହାଁ ଥାନା ଠୁ 3କିଲୋମିଟର ଛେଳିଆ ଗ୍ରାମ ର ଖେଳପଡ଼ିଆ ନିକଟରେ ଏକ ଦାମୀ କାର୍ ଭିତରେ ଡ୍ରଗ୍ସ କାରବାର ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ଅନୁଗୋଳ ସ୍ପେସାଲ୍ ସ୍କ୍ୱାଡ୍ ଓ କଣିହାଁ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।
ଏହି ଘଟଣାରେ ଛେଳିଆର ପପୁନ ସେଠୀ, ତେଲିସିଂହାର ଅନୁପ ଦେହୁରୀ ଓ ବଡ଼ଗୁଣ୍ଡୁରୀର ସିଲୁ ସେଠୀଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତେବେ ଫେରାର ଥିବା ପୁଲିସ କହିଛି। ଏନେଇ କଣିହାଁ ଥାନାରେ ମାମଲା ନମ୍ବର ୨୨୧/୨୬ ରୁଜୁ ହୋଇଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।



