ବର୍ଷାରେ ଭିଜୁଛି ତାଳଚେର
ତାଳଚେର, ୦୮/୦୮ ବିଭିନ୍ନ ସୋସିଆଲ ମିଡ଼ିଆରେ ୨ରୁ ତିନିଦିନ ବର୍ଷା ହେବାର ଖବର ଭାଇରାଲ ହେଉଥିବା ବେଳେ ତାଳଚେର ଅଂଚଳରେ ଶନିବାର ଅପରାହ୍ଣ ୩.୩୦ମିନିଟ୍ ସମୟରେ ବର୍ଷା ହୋଇଥିବା ଦେଖାଯାଇଥିଲା । ପ୍ରାୟ ୨ଘଂଟା କାଳ ବର୍ଷା ହେବାପରେ ଖାଲଢ଼ିପ ସବୁ ସମାନ କରିଦେଇଥିଲା । ତାଳଚେର ସହରାଚଂଳ ଠାରୁ ଗ୍ରାମାଚଂଳ ଯାଏ ଆଣ୍ଠୁଏ ଆଣ୍ଠୁଏ ପାଣି । ଏପରିକି, ବର୍ଷା ସାମନ୍ୟ ଛାଡ଼ିବାର ନାଁ ମଧ୍ୟ ଧରୁନାହିଁ । ବିଲମାଳ, କୂଅପୋଖରୀ, ଯୋର, ହ୍ରଦ, ନାଳ ସହିତ ବ୍ରାହ୍ମଣୀନଦୀ ମଧ୍ୟ ଏବେ ଦୁଇକୂଳ ଖାଉଛି । ତାଳଚେରର ରାସ୍ତାଘାଟ ଗୁଡ଼ିକ ବର୍ଷାଜଳରେ ପୂର୍ଣ୍ଣ ହୋଇଥିବା ବେଳେ କେଉଁଠି ଖାଲ ଓ କେଉଁଠି ସମାନ ତାହା ପରଖି ହେଉନାହିଁ ।ି ଦୁଇଚକିଆଯାନ ଯାତାୟତ କଲାବେଳେ ଗାଡ଼ିର ଚକ ଅଧା ପାଣିରେ ବୁଡ଼ି ଯାଇଥିବା ଦେଖାଯାଇଛି । ଲଗାଣବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି, କଳାପାଣି ସହ କାଦୁଅ ରାସ୍ତା, ବାଇପାସ୍ ରାସ୍ତାର ଦୁଇପାଶ୍ୱର୍ରେ ମୋଟା ବହଳର କୋଇଲା କାଦୁଅ, ଖାଲି ବାଇପାସ୍ କାହିଁକି ବାଙ୍କଧରା ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଏବଂ ସହରର ଗଳିକନ୍ଦି ଗୁଡ଼ିକ ମଧ୍ୟ ସବୁଠି ସମାନ ଦଶା, ଦୁଇ ଚକିଆଯାନ ଚଳାଇବା କଷ୍ଟକର । ଜାତୀୟ ରାଜପଥରେ ଯାତାୟତ କରିବା ଏକ ଯମଯନ୍ତ୍ରଣା ପାଲଟି ଯାଇଛି । ବର୍ଷାଯୋଗୁଁ ଏଠିସେଠି ପାଣିଜମି ଡ଼୍ରେନ ଜଳ ରାସ୍ତା ଉପରକୁ ଚାଲିଆସି ଅଳିଆ ଆବର୍ଜନା ସହିତ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରୁଛି । ତେବେ ଯଦି ଏପରି ଲଗାଣବର୍ଷା ଲାଗିରୁହେ ତେବେ ବ୍ୟବସାୟୀ ଓ ଗରୀବ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିବ ବୋଲି ଶୁଣିବାକୁ ମିଳେ ।



