ଢେଙ୍କାନାଳ ନୁହେଁ, ଅନୁଗୁଳରେ ବ୍ରାଉନ୍ ସୁଗାର କାରବାର ଉପରେ ପୁଲିସର ଚଢ଼ାଉ

୨୦.୧୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୪ ଗିରଫ; କାର୍ ସହ ମୋବାଇଲ୍ ଓ ନଗଦ ଟଙ୍କା ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କୋଲିଏରୀ ଥାନା ପୁଲିସ ବ୍ରାଉନ୍ ସୁଗାର କାରବାର ବିରୋଧରେ ବଡ଼ ସଫଳତା ପାଇଛି। ଘଣ୍ଟାପଡ଼ା ରେଲୱେ ଓଭରବ୍ରିଜ୍ ନିକଟରେ ଚଢ଼ାଉ କରି ପୁଲିସ ୨୦.୧୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୮ଟା ୨୨ ମିନିଟ୍ ସମୟରେ କୋଲିଏରୀ ଥାନା IICଙ୍କୁ ବିଶ୍ୱସନୀୟ ସୂତ୍ରରୁ ଖବର ମିଳିଥିଲା ଯେ, ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟାର୍ କାର୍ରେ ବ୍ରାଉନ୍ ସୁଗାର ନେଇ କେତେକ ବ୍ୟକ୍ତି ବଲହର ଛକ ପଟୁ ଚାଲାଗଡ଼ ଅଭିମୁଖେ ଯାଉଛନ୍ତି। ସ୍ଥାନୀୟ ନିଶାସକ୍ତ ବ୍ୟକ୍ତିଙ୍କୁ ଅଧିକ ଦାମରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହା ନିଆଯାଉଥିବା ସୂଚନା ମିଳିଥିଲା।
ସୂଚନା ଆଧାରରେ ପୁଲିସ ଟିମ୍ ତୁରନ୍ତ ଚଢ଼ାଉ ପାଇଁ ବାହାରିଥିଲା। ରାତି ପ୍ରାୟ ୯ଟା ୨୦ ମିନିଟ୍ ସମୟରେ ଘଣ୍ଟାପଡ଼ା ରେଲୱେ ଓଭରବ୍ରିଜ୍ ନିକଟରେ OD-02-CG-2707 ନମ୍ବର ଥିବା ଡିଜାୟାର୍ କାର୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର୍ରେ ଥିବା ୪ ଜଣଙ୍କୁ ପୁଲିସ ଅଟକ ରଖିଥିଲା।
ଗିରଫ ବ୍ୟକ୍ତିମାନେ ହେଲେ ଚାଲାଗଡ଼ ଗ୍ରାମର ଫିରୋଜ କୁମାର ଦେବତା ଓରଫ ନୁନୁ (୪୨), ସୁରେନ୍ଦ୍ର ଦାସ ଓରଫ ବାବୁଲା (୨୧), ଶ୍ରୀନିବାସ ବେହେରା ଓରଫ ପେଚା (୩୬) ଏବଂ ବିଶ୍ୱଜିତ ରାଉତ ଓରଫ ବାଣ୍ଟି (୨୫)।
NDPS ଆଇନର ନିୟମ ଅନୁସାରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ସରକାରୀ ସାକ୍ଷୀ ଏବଂ ଓଜନକାରୀଙ୍କ ଉପସ୍ଥିତିରେ ତଲାସୀ ଓ ଜବତ ପ୍ରକ୍ରିୟା କରାଯାଇଥିଲା। ଫିରୋଜଙ୍କ ନିକଟରୁ ୧୦.୦୪୦ ଗ୍ରାମ ଏବଂ ସୁରେନ୍ଦ୍ରଙ୍କ ନିକଟରୁ ୧୦.୦୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଏଥିସହ ଫିରୋଜଙ୍କ ନିକଟରୁ ୭୫୦ ଟଙ୍କା ନଗଦ ଓ ଗୋଟିଏ OPPO A-55 ମୋବାଇଲ୍ ଫୋନ୍ ମିଳିଥିଲା।
ଅନ୍ୟପକ୍ଷରେ ବିଶ୍ୱଜିତଙ୍କ ନିକଟରୁ Samsung Galaxy A36 5G ଓ LAVA କିପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ବ୍ରାଉନ୍ ସୁଗାର ପରିବହନରେ ବ୍ୟବହୃତ ହୋଇଥିବା ଡିଜାୟାର୍ କାର୍ଟିକୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଜଳେଶ୍ୱରରୁ କମ୍ ଦାମରେ ବ୍ରାଉନ୍ ସୁଗାର ଆଣି ସ୍ଥାନୀୟ ନିଶାସକ୍ତ ବ୍ୟକ୍ତିଙ୍କୁ ଅଧିକ ଦାମରେ ବିକ୍ରି କରିବାକୁ ନେଉଥିଲେ। ତେବେ ଏହି କାରବାରର ମୁଖ୍ୟ ଉତ୍ସ ଓ ଯୋଗାଣ ଶୃଙ୍ଖଳ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଏହି ଘଟଣାକୁ ନେଇ କୋଲିଏରୀ ଥାନା କେସ୍ ନମ୍ବର ୪୮୨, ତାରିଖ ୦୯.୦୮.୨୦୨୬, ଧାରା ୨୧(ବି)/୨୯ NDPS ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ସମସ୍ତ ୪ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଆଗକୁ ବଢ଼ୁଛି।
ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ରହିଛି
ପୁଲିସ ଯାଞ୍ଚ ସମୟରେ ଫିରୋଜ କୁମାର ଦେବତା ଓରଫ ନୁନୁଙ୍କ ବିରୋଧରେ କୋଲିଏରୀ ଥାନାରେ ପୂର୍ବରୁ ଏକାଧିକ ମାମଲା ଥିବା ଜଣାପଡ଼ିଛି। ସେହିପରି ଶ୍ରୀନିବାସ ବେହେରା ଓରଫ ପେଚାଙ୍କ ବିରୋଧରେ ମଧ୍ୟ ମୋଟର ଯାନ ଆଇନ ଅନୁଯାୟୀ ଏକ ମାମଲା ରହିଥିବା ପୁଲିସ କହିଛି।
ଏହି ଚଢ଼ାଉରେ SI ବଳରାମ ସାମନ୍ତରାୟ, SI ବ୍ରହ୍ମାନନ୍ଦ ସାହୁ, ASI ପ୍ରଦୀପ କୁମାର ପାତ୍ର, ASI ସଞ୍ଜୀବ ଜାଲଙ୍କ ସମେତ କୋଲିଏରୀ ଥାନାର ଅନ୍ୟ ପୁଲିସ କର୍ମଚାରୀମାନେ ସାମିଲ ଥିଲେ।



