ସଙ୍ଗୀତ-ନାଟକ କ୍ଷେତ୍ରର ୧୧୫ କଳାକାରଙ୍କୁ ସମ୍ମାନ, ୧୩ରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୧/୮: ଦେଶର କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୧୧୫ ଜଣ କଳାକାରଙ୍କୁ ସମ୍ମାନିତ କରାଯିବ। ୨୦୨୪ ଓ ୨୦୨୫ ବର୍ଷ ପାଇଁ ଚୟନ ହୋଇଥିବା ସଙ୍ଗୀତ ନାଟକ ଏକାଡେମୀ ଫେଲୋଶିପ୍ (ଏକାଡେମୀ ରତ୍ନ) ଓ ଏକାଡେମୀ ପୁରସ୍କାର ଆସନ୍ତା ୧୩ ଅଗଷ୍ଟରେ ପ୍ରଦାନ କରାଯିବ।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ସକାଳ ୧୧ଟା ୩୦ରେ ଆୟୋଜିତ ସ୍ୱତନ୍ତ୍ର ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିବେ।
ଓଡ଼ିଶାର କଳାକାରଙ୍କୁ ମଧ୍ୟ ସମ୍ମାନ
୨୦୨୪ ବର୍ଷ ପାଇଁ ଲୋକ ଓ ଆଦିବାସୀ କଳା ବର୍ଗରେ ସମ୍ବଲପୁରୀ ଲୋକନୃତ୍ୟ ପାଇଁ ଓଡ଼ିଶାର ରଣଜିତ କୁମାର ନାଗଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ। ଏହା ବ୍ୟତୀତ ୨୦୨୫ ବର୍ଷ ପାଇଁ ମୟୂରଭଞ୍ଜ ଛଉ କ୍ଷେତ୍ରରେ ପାଗୁଲୁ ଜେନାଙ୍କୁ ସମ୍ମାନିତ କରାଯିବ। ନାଟ୍ୟ କ୍ଷେତ୍ରରେ ସୁବୋଧ ପଟ୍ଟନାୟକ ଓ ଚେତନା ଦାସଙ୍କୁ ମଧ୍ୟ ୨୦୨୫ର ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଛି।
ସଙ୍ଗୀତଠାରୁ ଲୋକକଳା ପର୍ଯ୍ୟନ୍ତ
ଏହି ସମ୍ମାନ ତାଲିକାରେ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ଲୋକ ଓ ଆଦିବାସୀ କଳା, କଣ୍ଢେଇ ନାଚ, ମୁଖା ନିର୍ମାଣ ଏବଂ ବାଦ୍ୟଯନ୍ତ୍ର ନିର୍ମାଣ ଭଳି ବିଭିନ୍ନ କଳାରୂପକୁ ସାମିଲ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କଳାକାରମାନେ ଏଥିରେ ସ୍ଥାନ ପାଇଛନ୍ତି।
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୧୯୫୨ ମସିହାରୁ ପ୍ରଦାନ କରାଯାଉଛି। କଳାକ୍ଷେତ୍ରରେ ଦୀର୍ଘଦିନର ଉତ୍କର୍ଷ ଓ ଅବଦାନକୁ ସ୍ୱୀକୃତି ଦେବା ଏହି ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ।
ମିଳିବ ଆର୍ଥିକ ସମ୍ମାନ
ଏକାଡେମୀ ଫେଲୋଶିପ୍ ପାଇଁ ଚୟନିତ କଳାକାରଙ୍କୁ ୩ ଲକ୍ଷ ଟଙ୍କା, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଏକାଡେମୀ ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ସହ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ଦିଆଯିବ।
ଅଳଙ୍କରଣ ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ, ସଂସ୍କୃତି ମନ୍ତ୍ରଣାଳୟର ସଚିବ ବିବେକ ଅଗ୍ରୱାଲ ଏବଂ ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷା ଡ. ସନ୍ଧ୍ୟା ପୁରେଚାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।



