ବାଂଲାଦେଶ ରେଳ ପାଇଁ ୧୯ଟି ଆଧୁନିକ LHB କୋଚ୍ର ପ୍ରଥମ ରେକ୍ ପ୍ରସ୍ତୁତ

କପୁରଥଲା, ୧୨ ଅଗଷ୍ଟ ୨୦୨୬: ଭାରତୀୟ ରେଳର ରପ୍ତାନି କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି। କପୁରଥଲା ରେଳ ଡିବ୍ବା କାରଖାନା (RCF) ପକ୍ଷରୁ ବାଂଲାଦେଶ ରେଳବାଇ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯ଟି LHB ବ୍ରଡ୍ ଗେଜ୍ କୋଚ୍ର ପ୍ରଥମ ରେକ୍ ଅଗଷ୍ଟ ୧୨ରେ ରୋଲ୍-ଆଉଟ୍ ହେବ।
ଏହି ରେକ୍ରେ ୩ଟି AC ସ୍ଲିପର୍, ୩ଟି AC ଚେୟାର କାର୍, ୧୧ଟି ନନ୍-AC ଚେୟାର କାର୍ ଏବଂ ୨ଟି ପାୱାର କାର୍ ରହିଛି। ବାଂଲାଦେଶ ରେଳବାଇର ଯାତ୍ରୀ ଆବଶ୍ୟକତା ଓ ପରିଚାଳନା ବ୍ୟବସ୍ଥାକୁ ଧ୍ୟାନରେ ରଖି ଏହି କୋଚ୍ଗୁଡ଼ିକୁ ସ୍ୱତନ୍ତ୍ର ଭାବେ କଷ୍ଟମାଇଜ୍ କରାଯାଇଛି।
ଯାତ୍ରୀ ସୁବିଧା ସହ ସୁରକ୍ଷାକୁ ଗୁରୁତ୍ୱ
କୋଚ୍ଗୁଡ଼ିକରେ ଯାତ୍ରୀଙ୍କ ସୁବିଧା ପାଇଁ ରିକ୍ଲାଇନିଂ ଚେୟାର, ଷ୍ଟେନଲେସ୍ ଷ୍ଟିଲ୍ ଆର୍ମରେଷ୍ଟ ଓ ଫୁଟରେଷ୍ଟ ସହ ଆସନକୁ ବିଭିନ୍ନ ସ୍ଥିତିରେ ରିକ୍ଲାଇନ୍ କରିବାର ସୁବିଧା ରହିଛି।
ଏହାବ୍ୟତୀତ AC କୋଚ୍ରେ ପଙ୍ଖା, ଇଣ୍ଟିଗ୍ରେଟେଡ୍ CCTV ସର୍ଭେଲାନ୍ସ, ପାସେଞ୍ଜର ଆଲାର୍ମ ସିଷ୍ଟମ୍, ଆଂଶିକ ଭାବେ ଖୋଲିପାରୁଥିବା ଝରକା, ବେବି କେୟାର ରୁମ୍ ଏବଂ ପ୍ରାର୍ଥନା କକ୍ଷ ଭଳି ସୁବିଧା ରହିଛି।
ବାଂଲାଦେଶର ସ୍ୱତନ୍ତ୍ର ପରିଚାଳନା ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଚ୍ର ଛାତ ଗଠନକୁ ମଧ୍ୟ ଅଧିକ ମଜବୁତ କରାଯାଇଛି।
EN 15227 ମାନକ ଅନୁଯାୟୀ କ୍ରାଶ୍-ସୁରକ୍ଷା
ଏହି କୋଚ୍ଗୁଡ଼ିକର ଅନ୍ୟତମ ପ୍ରମୁଖ ବୈଷୟିକ ବିଶେଷତା ହେଉଛି ୟୁରୋପୀୟ EN 15227 ମାନକ ଅନୁଯାୟୀ Crashworthy Design। ଦୁର୍ଘଟଣା କିମ୍ବା ଧକ୍କା ସମୟରେ ଯାତ୍ରୀଙ୍କ ସୁରକ୍ଷା ବଢ଼ାଇବା ପାଇଁ କୋଚ୍ର କାର୍ ବଡି ଶେଲ୍ରେ ବ୍ୟାପକ ପୁନଃଡିଜାଇନ୍ କରାଯାଇଛି।
ଏହାସହ କୋଚ୍ଗୁଡ଼ିକର ବିଦ୍ୟୁତ ବ୍ୟବସ୍ଥାକୁ ୪୧୫ ଭୋଲ୍ଟ ଅପରେସନ୍ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଭାରତୀୟ ରେଳ କୋଚ୍ରେ ସାଧାରଣତଃ ୭୫୦ ଭୋଲ୍ଟ ବ୍ୟବସ୍ଥା ବ୍ୟବହୃତ ହୁଏ।
୨୦୦ କୋଚ୍ର ବଡ଼ ଅର୍ଡର
ଭାରତ ଓ ବାଂଲାଦେଶ ରେଳବାଇ ମଧ୍ୟରେ RCFର ସହଯୋଗ ୨୦୧୫-୧୬ରେ ଆରମ୍ଭ ହୋଇଥିଲା। ସେତେବେଳେ ବାଂଲାଦେଶକୁ ୧୨୦ଟି LHB ବ୍ରଡ୍ ଗେଜ୍ ଯାତ୍ରୀ କୋଚ୍ ସଫଳତାର ସହ ଯୋଗାଣ କରାଯାଇଥିଲା।
ଏହି ସଫଳ ସହଯୋଗକୁ ଆଗକୁ ବଢ଼ାଇ ବାଂଲାଦେଶ ରେଳବାଇ ୨୦୨୪ରେ RITES ମାଧ୍ୟମରେ RCFକୁ ୭ଟି ବିଭିନ୍ନ ପ୍ରକାରର ୨୦୦ଟି ବ୍ରଡ୍ ଗେଜ୍ ଯାତ୍ରୀ କୋଚ୍ ନିର୍ମାଣ ଓ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଅର୍ଡର ପ୍ରଦାନ କରିଥିଲା।



