ନୂଆଦିଲ୍ଲୀ: ଦେଶର ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ନେଇ ଆସିଛି ବଡ଼ ଆଇନଗତ ପରିବର୍ତ୍ତନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Prevention of Insults to National Honour (Amendment) Bill, 2026କୁ ମଞ୍ଜୁରି ଦେଇଛନ୍ତି। ଏହା ପରେ ବିଲ୍ଟି ଆଇନରେ ପରିଣତ ହୋଇଛି।
ନୂଆ ଆଇନ ଅନୁଯାୟୀ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ସହ ସମାନ ଆଇନଗତ ସୁରକ୍ଷା ମିଳିଛି। ଏହାର ଗାନକୁ ଇଚ୍ଛାକୃତ ଭାବେ ବାଧା ଦେବା କିମ୍ବା ଏହା ଗାନ କରୁଥିବା ସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ହେବ। ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍, ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।
୧୯୭୧ର ‘Prevention of Insults to National Honour Act’ରେ ସଂଶୋଧନ କରି ଏହି ନୂଆ ବ୍ୟବସ୍ଥା ଅଣାଯାଇଛି। ଏହି ଆଇନ ପୂର୍ବରୁ ଜାତୀୟ ପତାକା, ସମ୍ବିଧାନ ଓ ଜାତୀୟ ସଙ୍ଗୀତ ସମ୍ପର୍କିତ ଅପମାନ ଓ ବାଧାକୁ ଦଣ୍ଡନୀୟ କରୁଥିଲା। ଏବେ ଏହାର ପରିସରରେ ଜାତୀୟ ସଙ୍ଗୀତ ସହ ‘ବନ୍ଦେ ମାତରମ୍’କୁ ମଧ୍ୟ ସ୍ପଷ୍ଟ ଭାବେ ସାମିଲ କରାଯାଇଛି।
ଏହି ବିଲ୍ ଜୁଲାଇ ୨୯ରେ ରାଜ୍ୟସଭା ଓ ଜୁଲାଇ ୩୦ରେ ଲୋକସଭାରେ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହା ଆଇନର ରୂପ ନେଇଥିବାରୁ ଏବେ ସରକାରୀ ଭାବେ ଏହାର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ିବ।
ଅନ୍ୟପକ୍ଷରେ, ୨୦୨୬ରେ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ କେନ୍ଦ୍ର ସରକାର ପୂର୍ବରୁ ଏହାର ଗାନ ଓ ପରିବେଷଣ ନେଇ ସ୍ୱତନ୍ତ୍ର ପ୍ରୋଟୋକଲ୍ ଜାରି କରିଛନ୍ତି। ନିର୍ଦ୍ଦିଷ୍ଟ ସରକାରୀ ଓ ଔପଚାରିକ କାର୍ଯ୍ୟକ୍ରମରେ ଛଅଟି ପଦ ସମ୍ବଳିତ ସମ୍ପୂର୍ଣ୍ଣ ସଂସ୍କରଣ ଗାନ କରିବା ଏବଂ ‘ଜନ ଗଣ ମନ’ ପୂର୍ବରୁ ‘ବନ୍ଦେ ମାତରମ୍’ ପରିବେଷଣ କରିବା ନେଇ ନିର୍ଦ୍ଦେଶ ରହିଛି।
ରାଷ୍ଟ୍ରପତିଙ୍କ ମଞ୍ଜୁରି ସହ ‘ବନ୍ଦେ ମାତରମ୍’କୁ ଆଇନଗତ ସୁରକ୍ଷା ମିଳିବା ଜାତୀୟ ପ୍ରତୀକ ଓ ଦେଶର ସାର୍ବଭୌମ ସମ୍ମାନ ସୁରକ୍ଷା ଦିଗରେ ଏକ ନୂଆ ଆଇନଗତ ପଦକ୍ଷେପ ଭାବେ ଦେଖାଯାଉଛି।



