ବିଦେଶରୁ ଫେରିଲା ୬୬୨ ଭାରତୀୟ ପୁରାବସ୍ତୁ, ଆମେରିକାରୁ ସର୍ବାଧିକ ୫୮୯
ନୂଆଦିଲ୍ଲୀ: ଦେଶରୁ ଚୋରି କିମ୍ବା ବେଆଇନ ଭାବେ ବିଦେଶକୁ ନିଆଯାଇଥିବା ଭାରତୀୟ ପୁରାବସ୍ତୁ ଓ ପ୍ରାଚୀନ ସାମଗ୍ରୀକୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଜୁନ୍ ୨୦୨୬ ପର୍ଯ୍ୟନ୍ତ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ୍ ଓ ନେଦରଲାଣ୍ଡରୁ ମୋଟ ୬୬୨ଟି ପୁରାବସ୍ତୁ ଭାରତକୁ ଫେରାଇ ଅଣାଯାଇଛି।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
ଦେଶୱାରୀ ତଥ୍ୟ ଅନୁଯାୟୀ, ଆମେରିକାରୁ ୫୮୯ଟି, ବ୍ରିଟେନ୍ରୁ ୨୧ଟି, ଅଷ୍ଟ୍ରେଲିଆରୁ ୫୧ଟି ଏବଂ ନେଦରଲାଣ୍ଡରୁ ୧ଟି ପୁରାବସ୍ତୁ ଭାରତକୁ ଫେରିଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଔପନିବେଶିକ ସମୟରେ ଭାରତରୁ ବିଦେଶକୁ ନିଆଯାଇଥିବା ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀର ପୁନରୁଦ୍ଧାର ପ୍ରସଙ୍ଗ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଉଠାଯାଉଛି। ପ୍ରତ୍ୟେକ ମାମଲାକୁ ଅଲଗା ଭାବେ ବିଚାର କରି ଜାତୀୟ ଓ ଅନ୍ତର୍ଜାତୀୟ ଆଇନ ଏବଂ ସମ୍ପୃକ୍ତ ଚୁକ୍ତିକୁ ଆଧାର କରି ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଉଛି।
ବିଦେଶର ବିଭିନ୍ନ ସଂଗ୍ରହାଳୟ, କଳା ପ୍ରଦର୍ଶନୀ ଓ ବ୍ୟକ୍ତିଗତ ସଂଗ୍ରହରେ ଭାରତୀୟ ପୁରାବସ୍ତୁ ଥିବା ସୂଚନା ରହିଛି। ତେବେ ବିଶ୍ୱରେ ଥିବା ସମସ୍ତ ଭାରତୀୟ ପୁରାବସ୍ତୁର ସମ୍ପୂର୍ଣ୍ଣ ତାଲିକା ଉପଲବ୍ଧ ନାହିଁ।
କୌଣସି ବିଦେଶୀ ଦେଶରେ ଭାରତୀୟ ମୂଳର ବେଆଇନ ଭାବେ ରପ୍ତାନି ହୋଇଥିବା ପୁରାବସ୍ତୁର ସୂଚନା ମିଳିଲେ, ସମ୍ପୃକ୍ତ ଭାରତୀୟ ଦୂତାବାସ କିମ୍ବା ମିଶନ୍ ମାଧ୍ୟମରେ ତାହାକୁ ଦେଶକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ସରକାରଙ୍କ ଏହି ପ୍ରୟାସ ଫଳରେ ଦେଶର ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ କଳାକୃତିକୁ ପୁନର୍ବାର ଭାରତର ମାଟିକୁ ଫେରାଇ ଆଣିବାର ପ୍ରକ୍ରିୟା ଆହୁରି ଗତିଶୀଳ ହୋଇଛି।



