ଭାରତୀୟ କଳା-ସଂସ୍କୃତିର ବାହକ କଳାକାରଙ୍କୁ ରାଷ୍ଟ୍ରପତିଙ୍କ ସମ୍ମାନ

ନୂଆଦିଲ୍ଲୀ, ଅଗଷ୍ଟ ୧୩: ଭାରତୀୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୨୦୨୪ ଓ ୨୦୨୫ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋଶିପ୍ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି।
ସମ୍ମାନ ପ୍ରଦାନ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ସମ୍ମାନିତ ହୋଇଥିବା କଳାକାରମାନେ ମିଳିତ ଭାବେ ଭାରତର ଏକ ବିଶାଳ ସାଂସ୍କୃତିକ ମାନଚିତ୍ର ଗଢ଼ିଛନ୍ତି। ଏହି ମାନଚିତ୍ରରେ ଦେଶର ବିଭିନ୍ନ ଅଞ୍ଚଳର ଲୋକକଥା, ଗୀତ, ନୃତ୍ୟ, ପର୍ବପର୍ବାଣୀ ସହିତ ଶତାବ୍ଦୀ ଧରି ବିକଶିତ ଭାଷା ଓ ଉପଭାଷାର ସ୍ମୃତି ଜଡ଼ିତ ରହିଛି।
ଭାରତୀୟ ସଂସ୍କୃତି ନିଜ ମାଟି ଓ ମୂଳ ସହ ଗଭୀର ଭାବେ ଜଡ଼ିତ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ଦେଶର ବିଭିନ୍ନ ଖାଦ୍ୟପେୟ, ପୋଷାକ, ନୃତ୍ୟ ଓ ସଙ୍ଗୀତ ପ୍ରକୃତିରୁ ପ୍ରେରଣା ପାଇଛି। ପକ୍ଷୀଙ୍କ କିଚିରିମିଚିରି, ଝରଣାର କୁଳୁକୁଳୁ ଧ୍ୱନି, ଗଛଲତା, ମେଘ ଓ ନଦୀ ଭଳି ପ୍ରକୃତିର ବିଭିନ୍ନ ରୂପ କଳାକାରଙ୍କ ସୃଜନଶୀଳତାକୁ ପ୍ରଭାବିତ କରିଛି।
ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ କଳାର ମୂଳ ଆଧାର ବୋଲି ରାଷ୍ଟ୍ରପତି କହିଥିଲେ। ପରିବର୍ତ୍ତନଶୀଳ ସମୟରେ ଅନେକ ଲୋକକଳା ଓ ପାରମ୍ପରିକ କଳାବିଧା ଅସ୍ତିତ୍ୱ ହରାଇବାର ଆଶଙ୍କା ରହିଛି। ତେଣୁ ଏହି କଳାରୂପଗୁଡ଼ିକୁ ସଂରକ୍ଷଣ କରିବା ସହ ନୂଆ ପିଢ଼ିକୁ ଏହାର ଶିକ୍ଷା ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ଏହି ଦିଗରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ‘କଳା-ଦୀକ୍ଷା’ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ବରିଷ୍ଠ କଳାକାରମାନେ ଯୋଜନାବଦ୍ଧ ଭାବେ ପରବର୍ତ୍ତୀ ପିଢ଼ିର କଳାକାରଙ୍କୁ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଲୋକ ଓ ଜନଜାତି କଳାରେ ପ୍ରକୃତି ସହ ମଣିଷର ଗଭୀର ସମ୍ପର୍କ ଏବଂ ସମୁଦାୟର ସାମୂହିକ ସ୍ମୃତି ପ୍ରତିଫଳିତ ହୋଇଥାଏ। ଏହି କାରଣରୁ ଲୋକକଳା ଭାରତର ସାଂସ୍କୃତିକ ପରିଚୟର ଏକ ମୁଖ୍ୟ ଆଧାର ବୋଲି ରାଷ୍ଟ୍ରପତି କହିଥିଲେ।
ପୁରସ୍କାର ଓ ଫେଲୋଶିପ୍ ପାଇଥିବା ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଥିଲେ ଯେ, ଭାରତୀୟ ପରମ୍ପରାର ବାହକ କଳାକାରମାନେ ଦେଶର ସାମୂହିକ ସ୍ମୃତିର ସଂରକ୍ଷକ ଏବଂ ଭବିଷ୍ୟତର ସ୍ୱପ୍ନର ସ୍ରଷ୍ଟା।
ଶେଷରେ ରାଷ୍ଟ୍ରପତି ସଙ୍ଗୀତ ନାଟକ ଏକାଡେମୀକୁ ଭାରତର ‘ସଫ୍ଟ ପାୱାର’ର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ବର୍ଣ୍ଣନା କରିଥିଲେ। ଭାରତର ସମୃଦ୍ଧ ସାଂସ୍କୃତିକ ଶକ୍ତିକୁ ଆଗାମୀ ଦିନରେ ମଧ୍ୟ ବିଶ୍ୱସ୍ତରରେ ପହଞ୍ଚାଇବାରେ ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।




