ଭଟଲିରେ ରାଜରାସ୍ତା ଉପରେ ପ୍ରଥମ ଥର ସ୍ୱାଧୀନତା ଦିବସ ପାଳନ

ଭଟଲି: ଭଟଲି ଇତିହାସରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ରାଜ୍ୟ ରାଜରାସ୍ତା ଉପରେ ଭଟଲି ବିଜୟା ଛକଠାରେ ଧୁମଧାମରେ ପାଳିତ ହୋଇଛି ସ୍ୱାଧୀନତା ଦିବସ।
ବିଜୟା ଛକରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବରେ ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ତହସିଲଦାର ରାମକୃଷ୍ଣ ମିଶ୍ର, ଥାନା ଅଧିକାରୀ ବିଭୂତି ଭୂଷଣ ଦଲେଇ, ଭଟଲି ସରପଞ୍ଚ ପ୍ରମୋଦିନୀ ପ୍ରଧାନ ଏବଂ ସମିତି ସଭ୍ୟା ଉପମା ସିଂହ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମକୁ ମନୋଜ ରଥ ସଂଯୋଜନା କରିଥିବା ବେଳେ ସତିହାରୀ ବାଳିକା ହାଇସ୍କୁଲର ପିଇଟି ମୀନକେତନ ଭୋଇ ଓ କମାଣ୍ଡର କ୍ଷଣିକା ପ୍ରସନ୍ନା ଷଢ଼ଙ୍ଗୀଙ୍କ ନେତୃତ୍ୱରେ ଆକର୍ଷଣୀୟ ପରେଡ୍ ପରିଚାଳିତ ହୋଇଥିଲା।
ପରେଡ୍ରେ ଭଟଲି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ୧୫ଟି ପ୍ଲାଟୁନ୍ ଦଳ ଅଂଶଗ୍ରହଣ କରି ଦେଶପ୍ରେମର ଭାବନାକୁ ଉଜ୍ଜୀବିତ କରିଥିଲେ। ରାଜରାସ୍ତା ଉପରେ ଏଭଳି ଆୟୋଜନ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଦେଶଭକ୍ତିର ପରିବେଶ ସୃଷ୍ଟି କରିଥିଲା।




