ବେଟି ବଚାଓ, ବେଟି ପଢାଓ’ (BBBP) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମନ୍ୱିତ ବୈଠକ ଅନୁଷ୍ଠିତ

ଅନୁଗୋଳ, ୨୦.୦୮: ‘ବେଟି ବଚାଓ, ବେଟି ପଢାଓ’ (BBBP) କାର୍ଯ୍ୟକ୍ରମ ଅଧୀନରେ ମହିଳା ଓ ଶିଶୁ ମଙ୍ଗଳ ବିଭାଗ ତରଫରୁ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ଲିଙ୍ଗଭିତ୍ତିକ ବୈଷମ୍ୟ ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ରୋକିବା, ବାଳିକାଙ୍କ ସ୍କୁଲ୍ ଡ୍ରପ୍ଆଉଟ୍ ହ୍ରାସ କରିବା, ଶିକ୍ଷାରେ ନିରନ୍ତରତା ବଜାୟ ରଖିବା ଏବଂ ସମାଜରେ ଲିଙ୍ଗ ସମାନତା ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାଳିକାଙ୍କୁ ସୁରକ୍ଷିତ, ଶିକ୍ଷିତ ଓ ସଶକ୍ତ କରିବା ସହିତ ସମାଜରେ ସେମାନଙ୍କ ପ୍ରତି ସକାରାତ୍ମକ ମନୋଭାବ ଓ ସମାନତାର ଭାବନା ସୃଷ୍ଟି କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଦେବାଶିଷ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ସିଡ଼ିପିଓ , ପୋଷଣ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।




