ଢେଙ୍କାନାଳରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ: ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ମୁଣ୍ଡଳୀ, ୩ୟ ବାଟାଲିୟନ ସହଯୋଗରେ କଲେଜର ଏନ.ଏସ.ଏସ (NSS) କୋ-ୟୁନିଟ୍ ପକ୍ଷରୁ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ନୂତନ ପାଠାଗାର ଗୃହରେ ଏକ ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। NDRF ର “ଦକ୍ଷତା ବୃଦ୍ଧି ବର୍ଷ ୨୦୨୬” ଅଭିଯାନର ଅଂଶବିଶେଷ ଭାବରେ ଆୟୋଜିତ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି, କ୍ୟାମ୍ପସ ସୁରକ୍ଷା କୌଶଳ ଏବଂ ସାମଗ୍ରିକ ସମୁଦାୟିକ ବିପର୍ଯ୍ୟୟ ମୁକାବିଲା ଦକ୍ଷତାକୁ ବୃଦ୍ଧି କରିବା।
ଏହି କାର୍ଯ୍ୟକ୍ରମକୁ ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଡଃ ରବର୍ଟ ୱିଲସନ ଭତ୍ରା ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିଲେ ଏବଂ ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନ କରିଥିଲେ। କଲେଜର ଅଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ବରାଳ ଏହି ସଭାରେ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଓଡ଼ିଶାର ଭୌଗୋଳିକ ସ୍ଥିତି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେଉଥିବାରୁ ଏହିପରି ଜୀବନରକ୍ଷାକାରୀ ତାଲିମର ଅତ୍ୟାବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କଟକ ମୁଣ୍ଡଳୀ NDRF ର ସବ୍-ଇନ୍ସପେକ୍ଟର ଶ୍ରୀ ଆନନ୍ଦ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ +୨, ଯୁକ୍ତ ତିନି (UG) ଏବଂ ସ୍ନାତକୋତ୍ତର (PG) ର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ଜାତୀୟ ସେବା ଯୋଜନା (NSS) ଓ ୟୁଥ୍ ରେଡକ୍ରସ୍ (YRC) ର ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। NDRF ର ଯବାନମାନେ ମୁଖ୍ୟ ଉଦ୍ଧାର କୌଶଳ, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ମିସ୍ ଶ୍ରଦ୍ଧାଞ୍ଜଳି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।



