ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ AI, କ୍ୟାମେରା ଓ ଡ୍ରୋନ୍ ବ୍ୟବହାର କରିବ ଓଡ଼ିଶା
ଭୁବନେଶ୍ୱର, ଅଗଷ୍ଟ ୨୨: ସଫେଇ କର୍ମଚାରୀଙ୍କ ଜୀବନ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ସେପ୍ଟିକ୍ ଟାଙ୍କ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସଫେଇ କରିବା ସମୟରେ ଘଟୁଥିବା ମୃତ୍ୟୁକୁ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଶନିବାର ଭୁବନେଶ୍ୱରରେ ଆୟୋଜିତ ‘ମିଶନ ଜିରୋ – ଏଣ୍ଡିଂ ଫାଟାଲିଟି ଇନ୍ ସାନିଟେସନ୍ ୱାର୍କ’ ଶୀର୍ଷକ ଜାତୀୟ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସଫେଇ କର୍ମଚାରୀମାନେ ସେପ୍ଟିକ୍ ଟାଙ୍କ ଭିତରକୁ ପ୍ରବେଶ କରିବା ବେଳେ ବିଷାକ୍ତ ଗ୍ୟାସ୍ ଓ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ସମୟରେ ଶ୍ୱାସରୁଦ୍ଧ ହୋଇ ଜୀବନ ହରାଉଛନ୍ତି। ଏଭଳି ଦୁର୍ଘଟଣା ରୋକିବା ପାଇଁ ରାଜ୍ୟରେ ଖୁବ୍ଶୀଘ୍ର AI ଆଧାରିତ ପ୍ରଯୁକ୍ତି, କ୍ୟାମେରା ସିଷ୍ଟମ୍ ଓ ଡ୍ରୋନ୍ ବ୍ୟବହାର କରାଯିବ ବୋଲି ମାଝୀ ସୂଚନା ଦେଇଛନ୍ତି।
ସଫେଇ କର୍ମଚାରୀଙ୍କ ସୁରକ୍ଷା ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ମଜବୁତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ‘ଗରିମା ଦିବସ’ ଭାବେ ପାଳନ କରାଯିବ। ଏହି ଦିବସ ମାଧ୍ୟମରେ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ଅଧିକ ସୁରକ୍ଷିତ ଓ ସମ୍ମାନଜନକ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।



