ଖାକିରେ କଳଙ୍କ: ପତ୍ନୀ ନିର୍ଯାତନା ଅଭିଯୋଗରେ ଏସ୍ଆଇ ଗିରଫ
ବାରିପଦା: ଆଇନର ରକ୍ଷକଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କୁ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି। ଯୌତୁକ ଦାବି, ମାନସିକ ଓ ଶାରୀରିକ ନିର୍ଯାତନା, ହତ୍ୟା ଧମକ ଏବଂ ତଣ୍ଟିଚିପି ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି।
ଅଭିଯୋଗ ଅନୁସାରେ, ପୁରୀ ଜିଲ୍ଲାର ୩୧ ବର୍ଷୀୟା ମହିଳାଙ୍କ ସହ ପ୍ରଭାତଙ୍କର ପ୍ରାୟ ୪ ବର୍ଷ ଧରି ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା ଏବଂ ପରେ ବିବାହକୁ ଟାଳି ଚାଲିଥିବା ଅଭିଯୋଗ ହୋଇଛି। ଏହି ସମୟ ମଧ୍ୟରେ ନଗଦ ଟଙ୍କା ଓ ରୁପା ବ୍ରେସଲେଟ୍ ନେଇଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି।
ପରେ ବିବାହ ପାଇଁ ନଗଦ ୧୦ ଲକ୍ଷ ଟଙ୍କା ଏବଂ ୨୦ ଭରି ସୁନା ଦାବି କରାଯାଇଥିବା ମହିଳା ଅଭିଯୋଗ କରିଛନ୍ତି। ପରିବାରର ସହଯୋଗରେ ସୁନା କିଣି ରସିଦ ପଠାଇଥିଲେ ମଧ୍ୟ ପ୍ରଭାତ ଯୋଗାଯୋଗ ବନ୍ଦ କରିଦେଇଥିବା ଅଭିଯୋଗରେ କୁହାଯାଇଛି।
ଘଟଣାକୁ ନେଇ ମହିଳା ବାରିପଦା ଟାଉନ୍ ଥାନା ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଗତ ଜୁନ୍ ୧୨ ତାରିଖରେ କୁଳିଅଣାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଉଭୟଙ୍କ ବୈଦିକ ରୀତିରେ ବିବାହ ହୋଇଥିବା ଅଭିଯୋଗକାରିଣୀ କହିଛନ୍ତି। କିନ୍ତୁ ବିବାହ ପରେ ତାଙ୍କୁ ଘରକୁ ନନେଇ ପ୍ରଭାତ ଚାଲିଯାଇଥିବା ଅଭିଯୋଗ ହୋଇଛି।
ଜୁଲାଇ ୧ ତାରିଖରେ ସ୍ୱାମୀଙ୍କୁ ଖୋଜି ମହିଳା କେନ୍ଦୁଝର ଜିଲ୍ଲା ବଣିଆପାଟସ୍ଥିତ ପୈତୃକ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ୱୀକାର କରାଯାଇନଥିବାରୁ ଘଟଣା କେନ୍ଦୁଝର ଟାଉନ୍ ଥାନାରେ ପହଞ୍ଚିଥିଲା। ପରେ ପ୍ରଭାତ ଲିଖିତ ଭାବେ ତାଙ୍କୁ ପତ୍ନୀ ଭାବେ ସ୍ୱୀକାର କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ତେବେ ପରବର୍ତ୍ତୀ ସମୟରେ ପୁଣି ଯୌତୁକ ଦାବିକୁ ନେଇ ଗଣ୍ଡଗୋଳ ହୋଇଥିବା ଅଭିଯୋଗ। ଜୁଲାଇ ୨ ତାରିଖରେ କେନ୍ଦୁଝରରୁ ବାରିପଦା ଫେରିବା ସମୟରେ କୋର୍ଟ ବିବାହ ପାଇଁ ପତ୍ନୀ କହିବାରୁ ପ୍ରଭାତ ମନା କରିଥିବା ଏବଂ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି କହିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ବିବାଦ ତୀବ୍ର ହେବା ପରେ ପ୍ରଭାତ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଏତଲାରେ ଦର୍ଶାଯାଇଛି। ଏଥିସହ ବନ୍ଧୁକ ଦେଖାଇ ଧମକ ଦେବା ଏବଂ ମାନସିକ ନିର୍ଯାତନା ଦେବା ନେଇ ମଧ୍ୟ ଅଭିଯୋଗ ରହିଛି।
ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ, ହତ୍ୟା ଉଦ୍ୟମ, ହତ୍ୟା ଧମକ ଓ ଯୌତୁକ ନିର୍ଯାତନା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଏହାପରେ ପ୍ରଭାତ କୁମାର ନାୟକଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଅନ୍ୟପକ୍ଷରେ, ଏସ୍ଆଇ ପ୍ରଭାତ ନାୟକ ତାଙ୍କ ବିରୋଧରେ ଆସିଥିବା ‘ଲଭ୍, ସେକ୍ସ ଓ ଧୋକା’ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ରହିଥିବା ସେ କହିବା ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜଣାଇଛନ୍ତି।
ଏସ୍ଡିପିଓ ପ୍ରଭାତ କୁମାର ମଲ୍ଲିକଙ୍କ କହିବା ଅନୁଯାୟୀ, ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।



