ପରମାନନ୍ଦ ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ଦଧିବାମନ
ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଶ୍ରୀ ଦଧିବାମନ ଧାମରେ ପବିତ୍ର ଶ୍ରାବଣ ପୂର୍ଣିମା ତଥା ରକ୍ଷାବ ବନ୍ଧନ ଦିନ ମହାପ୍ରଭୁ ଭକ୍ତ ପରମାନନ୍ଦଙ୍କ ଛଦ୍ମବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ବ୍ରହ୍ମମୁହୂର୍ତ୍ତରୁ ମନ୍ଦିର ସେବକଙ୍କ ଦୈନିକ ପୂଜାନୀତି ପରେ ଦଧିବାମନ ମହାପ୍ରଭୁଙ୍କୁ ଭକ୍ତ ପରମାନନ୍ଦ ବେଶ କରାଯାଇଥିଲା। ଏହି ଅବସରରେ ମହାପ୍ରଭୁଙ୍କୁ ରୁପାର କଠଉ, ରୁପାର ଲଉଡ଼ି, ରୁପାର କୋଡ଼ି ସହ ଧୋତି ଏବଂ ଗାମୁଛାରେ ପ୍ରଭୁଙ୍କୁ ଏହି ବେଶ କରାଯାଇଥିଲା । ଭକ୍ତ ପରମାନନ୍ଦଙ୍କ ବଂଶଜମାନେ ପରମ୍ପରାକ୍ରମେ ପ୍ରଭୁଙ୍କୁ ପ୍ରଥମ ପୂଜା ଏବଂ ଭୋଗ ଅର୍ପଣ କରିଥାନ୍ତି। ଏ ଅବସରରେ ମନ୍ଦିର ସମ୍ମୁଖସ୍ତ ପରମାନନ୍ଦ ସ୍ମୃତିସ୍ତମ୍ଭରେ ପୂଜାର୍ଚ୍ଚନା କରି ରଖିଲାଗି କରାଯାଇଥିଲା |ଏହି ଅବସରରେ ଶ୍ରୀମନ୍ଦିରରେ ନୂତନ ନେତ ରାଜୀବ ସାହୁ ବାନ୍ଧିଥିଲେ । ଭକ୍ତ ଏବଂ ଭଗ ଭଗବାନଙ୍କ ମିଳନରେ ଏହିପରି ବେଶ କରାଯିବା ଅନନ୍ୟ, ଏହା ସହିତ ଶ୍ରୀ ଦଧିବାମନଙ୍କ ଚର୍ତୁପାଶ୍ବରେ ଥିବା ଦେବାଦେବୀଙ୍କଠାରେ ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଏହି ବେଶ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା | ଭକ୍ତ ପରମାନନ୍ଦ ବେଶ ପଛରେ ଏକ କିଂବଦନ୍ତି ରହିଥିବାର ଗ୍ରାମବାସୀ କହନ୍ତି । ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପ୍ରଭୁ ଶ୍ରୀ ଦଧିବାମନ ଭକ୍ତର ନିବେଦନ ଶୁଣି ଶୂନ୍ୟ ଭଣ୍ଡାରକୁ ପୂର୍ଣ୍ଣ ଭଣ୍ଡାରରେ ପରିଣତ କରିଥିଲେ। ସାଧୁଙ୍କୁ ତୃପ୍ତ ଭୋଜନ ଦେଇ ଆପ୍ୟାୟିତ କରିବାସହିତ ଭକ୍ତଙ୍କୁ ସାଧୁ ଅଭିଶାପରୁ ରକ୍ଷା କରିଥିଲେ ।



