କିବ୍ରେ ରୁଷ୍ର ଘନଘନ ଆକ୍ରମଣ: ବୁଚାରେ ୨୭ ମୃତ, ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ
କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଭୟଙ୍କର ରୂପ ନେଇଛି। ୟୁକ୍ରେନ୍ର ରାଜଧାନୀ କିବ୍ ଓ ଏହାର ଆଖପାଖ ଅଞ୍ଚଳରେ ଲଗାତାର ତୃତୀୟ ଦିନ ଧରି ରୁଷ୍ ପକ୍ଷରୁ ଆକାଶମାର୍ଗରେ ଆକ୍ରମଣ ଜାରି ରହିଛି। ଏହି ଆକ୍ରମଣରେ କିବ୍ ନିକଟସ୍ଥ ବୁଚା ଜିଲ୍ଲାରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ରୁଷୀୟ ଆକ୍ରମଣ ପରେ ବୁଚା ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକ ଘର ଓ ଏକ ରେଷ୍ଟୁରାଣ୍ଟ ନିଆଁରେ ପୋଡ଼ିଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୫୦ଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ପରେ ଅଞ୍ଚଳରେ ଉଦ୍ଧାର ଓ ଅଗ୍ନି ନିର୍ବାପଣ କାର୍ଯ୍ୟ ଜାରି ରହିଛି।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଅନୁସାରେ, ମାଇଲା ଗ୍ରାମର ଏକ ଗୋଦାମ ଉପରେ ଆକ୍ରମଣ ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଗୋଦାମରେ କ’ଣ ରହିଥିଲା ସେନେଇ ସେ ସ୍ପଷ୍ଟ କରିନଥିଲେ। ତେବେ ଆବାସିକ ଅଞ୍ଚଳ ନିକଟରେ ଗୁଳିଗୋଳା କିମ୍ବା ବିସ୍ଫୋରକ ସାମଗ୍ରୀ ସଂରକ୍ଷଣ କରାଯିବା ନିୟମବିରୋଧୀ ବୋଲି ସେ କହିଛନ୍ତି।
ଏହି ଘଟଣାକୁ ନେଇ ସରକାରୀ ଅବହେଳା ଅଭିଯୋଗରେ ଫୌଜଦାରୀ ତଦନ୍ତ ଆରମ୍ଭ ହୋଇଥିବା ଜେଲେନସ୍କି ସୂଚନା ଦେଇଛନ୍ତି। ଏପଟେ କିବ୍ ଉପରେ ଲଗାତାର ତୃତୀୟ ଦିନ ଧରି ହୋଇଥିବା ଆକାଶ ଆକ୍ରମଣ ୟୁକ୍ରେନ୍ରେ ଯୁଦ୍ଧ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।



