ଦୁବାଇରେ ଓଡ଼ିଶାର ଶିଳ୍ପ ସମ୍ଭାବନାର ପ୍ରଚାର, ସେପ୍ଟେମ୍ବର ୮-୯ରେ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଶ୍ୱସ୍ତରୀୟ ନିବେଶକଙ୍କ ସମ୍ମୁଖରେ ଓଡ଼ିଶାର ଶିଳ୍ପ ଓ ନିବେଶ ସମ୍ଭାବନା ଉପସ୍ଥାପନ କରିବେ।
ଦୁବାଇକୁ ମଧ୍ୟପ୍ରାଚ୍ୟର ଏକ ପ୍ରମୁଖ ବ୍ୟବସାୟିକ ଓ ଆର୍ଥିକ କେନ୍ଦ୍ର ଭାବେ ବିବେଚନା କରାଯାଉଥିବାରୁ ଏହି ସମ୍ମିଳନୀ ଓଡ଼ିଶା ପାଇଁ ବିଦେଶୀ ନିବେଶ ଆକର୍ଷଣର ଏକ ବଡ଼ ସୁଯୋଗ ହୋଇପାରେ। ୟୁଏଇ ସମେତ ମଧ୍ୟପ୍ରାଚ୍ୟରେ ବ୍ୟବସାୟ କରୁଥିବା ବଡ଼ ବଡ଼ ଶିଳ୍ପଗୋଷ୍ଠୀ ଓ ଅନ୍ତର୍ଜାତୀୟ କମ୍ପାନୀଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ରହିବ।
ଦୁଇଦିନିଆ ଏହି ଇନଭେଷ୍ଟର୍ସ ମିଟ୍ରେ ରାଜ୍ୟ ସରକାର ମେଟାଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜି, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍, ଇଲେକ୍ଟ୍ରୋନିକ୍ସ, ପୋର୍ଟ ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଇବ।
ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ପ୍ରତିଶ୍ରୁତି ହାସଲ କରିବା ନୁହେଁ, ବରଂ ରାଜ୍ୟରେ ବଡ଼ ଶିଳ୍ପ ପ୍ରକଳ୍ପ ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶିଳ୍ପ ଭିତ୍ତିକୁ ଆହୁରି ମଜବୁତ କରିବା ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତକୁ ନେଇ ନିବେଶକ ମହଲରେ ମଧ୍ୟ ଆଗ୍ରହ ବଢ଼ିଛି। ତେବେ ସେପ୍ଟେମ୍ବର ୮-୯ର ଏହି ନିବେଶକ ସମ୍ମିଳନୀରୁ ଓଡ଼ିଶାକୁ କେତେ ପୁଞ୍ଜି ଆସିବ ଏବଂ କେଉଁ କେଉଁ ପ୍ରମୁଖ କମ୍ପାନୀ ରାଜ୍ୟରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ, ଏବେ ତାହା ଉପରେ ସମସ୍ତଙ୍କ ନଜର।



