ସୁଭଦ୍ରା ଟଙ୍କାକୁ ନେଇ ଦାମ୍ପତ୍ୟ କଳହ! ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ଲାଟ୍ରିନ୍ ଟାଙ୍କିରୁ ମିଳିଲା ମୃତଦେହ
ଢେଙ୍କାନାଳ: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ଦାମ୍ପତ୍ୟ କଳହ ଶେଷରେ ଭୟଙ୍କର ରୂପ ନେଇଥିବା ଅଭିଯୋଗ। ସ୍ତ୍ରୀଙ୍କୁ ସ୍ୱାମୀ ମାଡ଼ ମାରି ହତ୍ୟା କରିବା ପରେ ମୃତଦେହକୁ ଘର ପଛପଟେ ଥିବା ଲାଟ୍ରିନ୍ ଟାଙ୍କିରେ ଲୁଚାଇ ରଖିଥିବା ଅଭିଯୋଗ ଆସିଛି। ଘଟଣାଟି ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁର ଜୁଆଙ୍ଗ ସାହିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ସୁଭଦ୍ରା ଯୋଜନାରୁ ମିଳିଥିବା ଟଙ୍କାକୁ ସ୍ୱାମୀଙ୍କୁ ନଦେବାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଅଭିଯୋଗ ଅନୁଯାୟୀ, ମଦ୍ୟପାନ କରିଥିବା ସ୍ୱାମୀ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମୃତଦେହକୁ ଘର ପଛପଟ ଲାଟ୍ରିନ୍ ଟାଙ୍କିରେ ଲୁଚାଇ ରଖିଥିବା ଅଭିଯୋଗ ରହିଛି। ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କାନାଳ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିଛି। ହତ୍ୟା ପଛରେ ପ୍ରକୃତ କାରଣ କ’ଣ ଏବଂ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି କ’ଣ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ତେବେ ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ହତ୍ୟା ଘଟିଥିବା ଅଭିଯୋଗ ଆସିଥିଲେ ମଧ୍ୟ ଘଟଣାର ସମସ୍ତ ଦିଗ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।



