ଚଳିତ ସେପ୍ଟେମ୍ବର ୧୨ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଅନୁଗୋଳ, ୦୩.୦୯: ଚଳିତ ୧୨ ସେପ୍ଟେମ୍ବର (ଶନିବାର) ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା— ଫୌଜଦାରୀ (ସାଲିସ ଯୋଗ୍ୟ), ପ୍ଲି ବାର୍ଗେନିଂ, ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା, ବିଦ୍ୟୁତ ଓ ଜଳ ପୈଠ ବିଲ ସମ୍ବନ୍ଧୀୟ ମାମଲା (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ ମାମଲା, ରାଜସ୍ୱ ମାମଲା, ଖାଉଟି ବିବାଦ, ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ।
ଏହା ସହିତ ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ମାମଲା ତଥା ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡିକ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ) ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।
ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ ଅଟେ। ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ବା ତାଲୁକ ଆଇନସେବା କାର୍ଯ୍ୟାଳୟ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସହିତ ଯୋଗାଯୋଗ କରନ୍ତୁ।

September 3, 2026/
No Comments


