କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦୀଙ୍କ ନଜର
ଶିକ୍ଷା, କୃଷି ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ହେବ ସମୀକ୍ଷା; ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗର ବୈଠକ ସମ୍ଭାବନା
ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ସମ୍ଭାବ୍ୟ କ୍ୟାବିନେଟ୍ ଅଦଳବଦଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ଉପରେ ଗୁରୁତ୍ୱ ବଢ଼ିଛି। ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ନିକଟତମ ରିପୋର୍ଟ ଅନୁସାରେ, ବୈଠକରେ ଶାସନ ବ୍ୟବସ୍ଥା ଓ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ସିଧାସଳଖ ଆଲୋଚନା ହୋଇଛି।
ତିନି ପ୍ରମୁଖ ମନ୍ତ୍ରଣାଳୟ ଉପରେ ଫୋକସ୍
ବୈଠକରେ ଶିକ୍ଷା ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟ ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ଯୋଜନାର ଅଗ୍ରଗତି, ଭୂମିସ୍ତରରେ ଏହାର କାର୍ଯ୍ୟକାରିତା ଓ ଲକ୍ଷ୍ୟ ପୂରଣର ସ୍ଥିତି ଉପରେ ମନ୍ତ୍ରୀମାନଙ୍କଠାରୁ ତଥ୍ୟ ନିଆଯାଇଛି।
ମନ୍ତ୍ରୀଙ୍କ ପ୍ରଦର୍ଶନ ହେବ ମାପକାଠି?
ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱ କେତେଦୂର ସଫଳତାର ସହ ତୁଲାଯାଉଛି, ଯୋଜନାଗୁଡ଼ିକର ଗତି କିପରି ରହିଛି ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟର ପ୍ରଭାବ କେତେଦୂର ପହଞ୍ଚିଛି—ଏସବୁ ଦିଗ ଉପରେ ଗୁରୁତ୍ୱ ରହିଛି।
ବିଶେଷକରି ସାମାଜିକ ନ୍ୟାୟ ଓ ଜନକଲ୍ୟାଣ ସମ୍ପର୍କିତ କାର୍ଯ୍ୟକୁ ନେଇ ମନ୍ତ୍ରୀମାନଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହେବାର ସୂଚନା ରହିଛି।
ପର୍ଯ୍ୟାୟକ୍ରମେ ହେବ ଆହୁରି ସମୀକ୍ଷା
ସୂତ୍ର ଅନୁସାରେ, ଏହା କେବଳ ଗୋଟିଏ ବୈଠକରେ ସୀମିତ ରହିବ ନାହିଁ। ଆଗାମୀ ଦିନରେ ଅନ୍ୟ ମନ୍ତ୍ରଣାଳୟ ଓ ମନ୍ତ୍ରୀମାନଙ୍କ ସହ ମଧ୍ୟ ପର୍ଯ୍ୟାୟକ୍ରମେ ସମୀକ୍ଷା ବୈଠକ କରାଯାଇପାରେ। ଏହା ମାଧ୍ୟମରେ ସରକାରର ବିଭିନ୍ନ ବିଭାଗର କାର୍ଯ୍ୟଗତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମଗ୍ର ଚିତ୍ର ଆକଳନ କରାଯିବାର ସମ୍ଭାବନା ରହିଛି।
ଅଦଳବଦଳ ନେଇ ଏବେ ବି ଅନିଶ୍ଚିତତା
ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ଏଭଳି ସମୀକ୍ଷା ହେଉଥିବାରୁ ଏହାକୁ ସମ୍ଭାବ୍ୟ କ୍ୟାବିନେଟ୍ ଅଦଳବଦଳ ସହ ଯୋଡ଼ି ଦେଖୁଛନ୍ତି ରାଜନୈତିକ ବିଶ୍ଳେଷକ। ତେବେ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍ ପରିବର୍ତ୍ତନ କିମ୍ବା ବିସ୍ତାର ସମ୍ପର୍କରେ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।
ତେଣୁ ଆଗାମୀ ସମୀକ୍ଷା ବୈଠକଗୁଡ଼ିକରେ କେଉଁ ମନ୍ତ୍ରଣାଳୟର କାର୍ଯ୍ୟକୁ ନେଇ କ’ଣ ମତାମତ ଆସୁଛି ଏବଂ ମନ୍ତ୍ରୀମାନଙ୍କ ଦାୟିତ୍ୱରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ—ଏବେ ସମସ୍ତଙ୍କ ନଜର ସେହି ଦିଗରେ।



